ବିହାର ସ୍କୁଲରେ ଅଦ୍ଭୁତ ଘଟଣା, ଛାତ୍ରୀଙ୍କ ପାଇଁ ଆସିଥିବା ସାନିଟାରୀ ପ୍ୟାଡ୍‌ ଛାତ୍ରଙ୍କୁ ମିଳିଲା

ସରକାରଙ୍କ ତରଫରୁ ହେଉଥିବା ଅନେକ ଘୋଟାଲା ଓ ଦୁର୍ନୀତି ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ ଏହି ମାମଲା ହୁଏତ ଟିକେ ହଟକେ ହୋଇପାରେ। ଏହା କୌଣସି କୋଇଲା କିମ୍ବା ଚାରା ଦୁର୍ନୀତି ନୁହେଁ ବରଂ ସ୍କୁଲଗୁଡିକୁ ଦିଆଯାଉଥିବା ଯୋଜନା ମଧ୍ୟରେ ଏହି ଦୁର୍ନୀତି ହୋଇଥିବା ଖବର ଜଣାପଡିଛି। ସରକାରଙ୍କ ପକ୍ଷରୁ ବେଟି ବଚାଓ ବେଟି ପଢାଓ ନାମରେ କୋଟି କୋଟି ଟଙ୍କା ଦିଆଯାଉଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଅର୍ଥର ହରିଲୁଟ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ବିହାରରେ ଦେଖିବାକୁ ମିଳିଛି ।

ବିହାରର ଏକ ସ୍କୁଲରେ ଝିଅଙ୍କ ସାନିଟାରୀ ପ୍ୟାଡ ପୁଅ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ଦୁର୍ନୀତି ୨୦୧୬-୧୭ ମସିହାରେ ହୋଇଥିବା ବେଳେ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି । ଶରଣ ବ୍ଲକର ମାଞ୍ଝି ଅଞ୍ଚଳ ଅନ୍ତର୍ଗତ ହଲକୋରୀ ଶାହ ହାଇସ୍କୁଲରେ ଏହି ଅନିୟମିତତା ଏବଂ ଘୋଟାଲା ଦେଖିବାକୁ ମିଳିଥିଲା । ସାନିଟାରୀ ପ୍ୟାଡ ବାବଦରେ ଜଣଙ୍କୁ ୧୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏପରିକି ଏହି ସ୍କୁଲରେ ପଢୁଥିବା ପୁଅ ମାନଙ୍କୁ ମଧ୍ୟ ଏହି ଅର୍ଥ ପ୍ରଦାନ କରାଯାଇଥିଲା ।

ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଡିଇଓ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ଦୁଇ ଜଣିଆ କମିଟି ଏହି ମାମଲାର ତଦନ୍ତ କରିବ ।

ସୂଚନାଯୋଗ୍ୟ, ଏହି ଯୋଜନା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୫ ଫେବୃଆରୀକୁ ଆରମ୍ଭ କରିଥିଲେ। ଯେଉଁଥିରେ ସ୍କୁଲରେ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍‌ ବିତରଣ ପାଇଁ ଘୋଷଣା କରାଯାଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା କିଭଳି ଝିଅମାନେ ସ୍କୁଲରୁ ଡ୍ରପଆଉଟ ନ ହୁଅନ୍ତୁ, ସେଥିପାଇଁ ଏହି ଯୋଜନା କରାଯାଇଛି। କିଶୋରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍କୁଲର ୮ମରୁ ୧୦ମ ଶ୍ରେଣୀ ଝିଅମାନଙ୍କୁ ମିଳୁଥିଲା। ସେମାନଙ୍କ ସାନିଟାରୀ ପ୍ୟାଡ କିଣିବା ପାଇଁ ୧୫୦ ଟଙ୍କା ବର୍ଷକୁ ମିଳୁଥିଲା। ରାଜ୍ୟ ସରକାରର ଏହି ଯୋଜନାରେ ବର୍ଷକୁ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.