ମଧ୍ୟପ୍ରଦେଶରେ ଝଡ଼ତୋଫାନ: ଗୁଡ଼ି ଭଳି ଉଡ଼ିଲା ଘରର ଟିଣ ଚାଦର, ଲୁହା ଆଙ୍ଗଲ୍ ମାଡ଼ରେ ବାଇକ୍ ଆରୋହୀ ଗୁରୁତର
ମଧ୍ୟପ୍ରଦେଶରେ ପାଣିପାଗରେ ପରିବର୍ତ୍ତନ ହୋଇଛି । କୁଆପଥର ମାଡ଼ ସହିତ ବର୍ଷା ଜାରି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହୁଛି ।

ମଧ୍ୟପ୍ରଦେଶରେ ପାଣିପାଗରେ ପରିବର୍ତ୍ତନ ହୋଇଛି । କୁଆପଥର ମାଡ଼ ସହିତ ବର୍ଷା ଜାରି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହୁଛି । ରାଜ୍ୟର ଖରଗୋନ୍ରେ ଇନ୍ଦୋର-ଇଚ୍ଛାପୁର ରାଜ୍ୟ ରାଜପଥରେ ଏକ ଭୟଙ୍କର ଝଡ଼ତୋଫାନ ଦେଖିବାକୁ ମିଳିଥିଲା । ଧୂଳି ଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ଲୋକଙ୍କ ଘରର ଟିଣ ଚାଦର ଗୁଡ଼ି ଭଳି ଆକାଶରେ ଉଡ଼ିବାକୁ ଲାଗିଥିଲା ।
ଏହି ସମୟରେ ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା । ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ୍ ଆରୋହୀ ଏକ ଲୁହା ଆଙ୍ଗଲ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ଖରଗୋନ୍ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର ବଡ଼ଓ୍ଵାହ-ସନାଓ୍ଵାଦ ଥାନା ମଧ୍ୟବର୍ତ୍ତୀ ଇନ୍ଦୋର-ଇଚ୍ଛାପୁର ରାଜ୍ୟ ରାଜପଥରେ ଘଟିଛି ।
ପ୍ରବଳ ଧୂଳିଝଡ଼ ମାଡ଼ି ଆସିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଲୋକମାନେ କିଛି ବୁଝିବା ଆଗରୁ ଘର ଏବଂ ହୋଟେଲ ଉପରେ ଥିବା ଟିଣ ଚାଦରଗୁଡ଼ିକ ହଠାତ୍ ପବନରେ ଉଡ଼ିବା ଆରମ୍ଭ କରିଥିଲା । ଟିଣ ସିଟ୍ଗୁଡ଼ିକ ଏମିତି ଉଡ଼ୁଥିଲା, ଯେପରି ଆକାଶରେ ଗୁଡ଼ି ଉଡ଼ିଲା ଭଳି ଦେଖାଯାଉଥିଲା । ରାସ୍ତାରେ ଯାଉଥିବା ଅନେକ ଲୋକ ଝଡ଼ତୋଫାନ ସମୟରେ ଅଟକି ରହିଥିଲେ ।
ଏତିକି ବେଳେ ଜଣେ ବାଇକ ଆରୋହୀ ଏକ ଲୁହା ଆଙ୍ଗଲ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ । ଝଡ଼ତୋଫାନ ସମୟରେ ଅନ୍ୟ ଲୋକମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଖବର ରହିଛି । ଲୋକମାନେ କହିଛନ୍ତି ଯେ ଯଦି ଉଡ଼ୁଥିବା ଟିଣ ଚାଦର କାହାର ବେକ କିମ୍ବା ଶରୀର ଉପରେ ପଡ଼ିଥାନ୍ତା, ତେବେ କଟି ଅଲଗା ହୋଇ ଯାଇଥାନ୍ତା ।
ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର ଆଦି କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ହେବାର ପୂର୍ବାନୁମାନ କରାଯାଇଛି । କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।