ଦିଲ୍ଲୀ ସରକାରରେ ମନ୍ତ୍ରୀ ରାଜକୁମାର ଆନନ୍ଦ ଛାଡ଼ିଲେ ପାର୍ଟି, ଭ୍ରଷ୍ଟାଚାରକୁ ନେଇ ଆପ୍‌ ଉପରେ ଉଠାଇଲେ ପ୍ରଶ୍ନ

ପଟେଲ ନଗରରୁ ଆପ୍‌ ବିଧାୟକ ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳ ଛାଡ଼ି ଦଳ ଉପରେ ଭ୍ରଷ୍ଟାଚାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଯେଉଁଠି ଶୀର୍ଷ ନେତୃତ୍ୱ ଜେଲ୍‌ ଭିତରେ ଅଛନ୍ତି, ସେଠି ବର୍ତ୍ତମାନ ସହଯୋଗୀମାନେ ସେମାନଙ୍କ ହାତ ଛାଡ଼ିବାକୁ ଲାଗିଛନ୍ତି । ପଟେଲ ନଗରରୁ ବିଧାୟକ ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳ ଛାଡ଼ି ଦଳ ଉପରେ ଭ୍ରଷ୍ଟାଚାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ରାଜକୁମାର ଆନନ୍ଦ କହିଛନ୍ତି ଯେ ଭ୍ରଷ୍ଟାଚାରକୁ ନେଇ ଦଳର ଯେଉଁ ନୀତି ରହିଛି, ସେଥିରେ ସେ ସହମତ ନୁହନ୍ତି । କହି ରଖୁଛୁ, ଗତବର୍ଷ ନଭେମ୍ବରରେ ଯେତେବେଳେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଡକାଇଥିଲା, ଏହାର ଠିକ୍‌ ପୂର୍ବରୁ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଚଢ଼ାଉ କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଚଢ଼ାଉ ପାଇଁ ପହଞ୍ଚିଥିଲା । ଇଡି ଟିମ୍‌ ମନ୍ତ୍ରୀଙ୍କ ସିଭିଲ୍‌ ଲାଇନ୍ସସ୍ଥିତ ସରକାରୀ ବାସଭବନ ସମେତ ୯ଟି ଜାଗାରେ ଚଢ଼ାଉ କରିଥିଲା । ଜଣାପଡ଼ିଥିଲା କି, ରାଜକୁମାର ଆନନ୍ଦଙ୍କ ବ୍ୟବସାୟ ସହ ଜଡ଼ିତ ମାମଲାରେ ଇଡି ଖୋଳତାଡ଼ କରିଛି । ଇଡିର ଏହି ଚଢ଼ାଉକୁ ସୀମା ଶୁଳ୍କ ମାମଲା ସହିତ ମଧ୍ୟ ଯୋଡ଼ା ଯାଇଥିଲା ।

ରାଜକୁମାର ଆନନ୍ଦ ୨୦୨୦ରେ ପ୍ରଥମ ଥର ପଟେଲ ନଗର ଆସନରୁ ବିଧାୟକ ହୋଇଥିଲେ । ଏହାପୂର୍ବରୁ ତାଙ୍କ ପତ୍ନୀ ବୀଣା ଆନନ୍ଦ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ରହିସାରିଛନ୍ତି । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ଜାଗାରେ ରାଜକୁମାର ଆନନ୍ଦଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ।

କହି ରଖୁଛୁ, ଏକ ବୌଦ୍ଧ ସମ୍ମିଳନୀ କାର୍ଯ୍ୟକ୍ରମରେ ହିନ୍ଦୁ ଦେବଦେବୀଙ୍କ ଉପରେ ଅଶାଳୀନ ଟିପ୍ପଣୀ କରାଯାଇଥିଲା, ଯେଉଁଠି ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ଉପସ୍ଥିତ ଥିଲେ । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେବାରୁ ରାଜେନ୍ଦ୍ର ଗୌତମଙ୍କୁ କ୍ୟାବିନେଟ୍‌ରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟ୍‌କା ମିଳିଛି । ନ୍ୟାୟିକ ହେପାଜତରେ ରହିବା ବେଳେ ଓକିଲଙ୍କୁ ଭେଟିବା ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବା ପାଇଁ ଅନୁମତି ମାଗିଥିଲେ । ବର୍ତ୍ତମାନ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.