ପୁରୁଣା ବନ୍ଧୁଙ୍କୁ ଖୋଜୁଛି କି ବିଜେପି

ଏନ୍‌ଡିଏରୁ ଚନ୍ଦ୍ର ଖସିଛି। କୁଶୱାହ ମୁହଁ ମୋଡିଛନ୍ତି । ୟୁପିରେ ଆପନା ଦଳ, ଏତେ ଆପଣା ପଣ ଦେଖାଉନି। ପୂର୍ବରୁ ହିଁ ଖପ୍ପା ଅଛି ଶିବସେନା। ଏଭଳି ସ୍ଥିତିରେ ତିନି ହିନ୍ଦୀ ଭାଷୀ ରାଜ୍ୟରେ ନିର୍ବାଚନ ହାରିଛି ବିଜେପି । ତେଣୁ ବଦଳୁଛି ମୋଦିଙ୍କ ସ୍ୱର । ଅଟଳ ବିହାରୀ ବାଜୟପେୟୀଙ୍କ ରାସ୍ତାକୁ ଫେରୁଛନ୍ତି । କହିଛନ୍ତି, ଦେଶରେ ବାଜପେୟୀ ନୂଆ ପରମ୍ପରା ସୃଷ୍ଟି କରିଥିଲେ। ସହଯୋଗୀ ଦଳଙ୍କୁ ନେଇ ସଫଳ ମେଣ୍ଟ କରିଥିଲେ। ଆମେ ଏବେବି ତାଙ୍କୁ ଅନୁସରଣ କରୁଛୁ। ପୁରୁଣା ସହଯୋଗୀଙ୍କ ପ୍ରତି ଶ୍ରଦ୍ଧା ରହିଛି। ଆମ ଦ୍ୱାର ଦଳମାନଙ୍କ ପାଇଁ ଉନ୍ମୁକ୍ତ ରହିଛି।

ଦିନେ ବିଜେପିର ପୁରୁଣା ବନ୍ଧୁ ଥିଲା ବିଜେଡି। ୨୦୦୦ରୁ ୨୦୦୯ ପର‌୍ୟ୍ୟନ୍ତ ରାଜ୍ୟରେ ମିଳିତ ସରକାର ଥିଲା। ଏହାପରେ ମେଣ୍ଟ ଛିହ୍ନ ହୋଇଥିଲା। ବର୍ତ୍ତମାନ ରାଜନୈତିକ ପରିସ୍ଥିତି ବଦଳିଛି। କିନ୍ତୁ ବିଜେଡି ସମଦୂରତା ନୀତି କାଏମ୍‌ ରହିଛି। ନବୀନ ମଧ୍ୟ ବାରମ୍ବାର ଏ କଥା ଦୋହରାଉଛନ୍ତି। ଇଣ୍ଡିଆଟୁଡେ ମାଇଣ୍ଡ ରକ୍‌ସ କାର‌୍ୟ୍ୟକ୍ରମରେ ମଧ୍ୟ ନବୀନ ଏହି କଥା କହିଛନ୍ତି। କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ରକ୍ଷା କରୁଛି । ଆଗକୁ ମଧ୍ୟ କରିବ ।

କଂଗ୍ରେସ ନେତୃତ୍ୱ ମହାମେଣ୍ଟକୁ ନା କରିଛନ୍ତି ନବୀନ। ସେପଟେ ରାଜ୍ୟରେ ବିଜେପି-ବିଜେଡି ଟକ୍କର ଚାଲିଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଲେ ସରକାରଙ୍କୁ ସମାଲୋଚନା କରୁଛନ୍ତି। କିନ୍ତୁ ନବୀନଙ୍କ ବିଷୟରେ ପଦୁଟିଏ କହୁ ନାହାନ୍ତି। ସେହିପରି ନବୀନ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି । କିନ୍ତୁ ମୋଦିଙ୍କ ସିଧା ଆକ୍ଷେପ କରୁ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ରାଜନୈତିକ ପାଣିପାଗ କେଉଁଆଡକୁ ଯିବ ତାହା କହିବା ମୁସ୍କିଲ।