ସିଟ୍‌ ବେଲ୍ଟ ବାନ୍ଧିନଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜରିମାନା ଲାଗିବା ପରେ ନିଜ ଭୁଲ ସ୍ୱୀକାର କଲେ

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କାର୍‌ ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ ଜରିମାନା ଦେଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପୋଲିସ ୧୦୦ପାଉଣ୍ଡର ଜରିମାନା ଲଗାଇଛି। ବ୍ରିଟେନ୍ର ଟ୍ରାଫିକ୍ ପୋଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି। ସୁନକ କାର୍‌ରେ ସିଟ୍‌ ବେଲ୍ଟ କାଢି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଥିବା ବେଳେ ଏହି ନିୟମ ଉଲ୍ଲଙ୍ଘନ କରିଥିଲେ ।

ପଶ୍ଚିମ ଇଂଲଣ୍ଡର ଏକ ସ୍ଥାନକୁ ଯାଉଥିବା ବେଳେ ସୁନକ ହଠାତ ତାଙ୍କ ସିଟ ବେଲ୍ଟ କାଢ଼ି ଦେଇ ଏକ ଭିଡିଓ କରିଥିଲେ। ଆଉ ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସେ ତାଙ୍କ ଭୁଲ୍ ସ୍ବୀକାର କରିଛନ୍ତି ଏବଂ ଏଥିପାଇଁ କ୍ଷମା ମାଗିଛନ୍ତି। ସୁନକଙ୍କ ଡାଉନିଂ ଷ୍ଟ୍ରିଟ୍ ମୁଖପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ଛୋଟ କ୍ଲିପ୍ ଫିଲ୍ମ କରିବାପାଇଁ ତାଙ୍କ ସିଟ୍ ବେଲ୍ଟ ଖୋଲିଥିଲେ। ସେ ତାଙ୍କ ଭୁଲ୍ ସ୍ବୀକାର କରିଛନ୍ତି ଏବଂ କ୍ଷମା ମାଗିଛନ୍ତି।


ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲଙ୍କସାୟାର ପୋଲିସ ସୁନକଙ୍କ ନାଁ ନ ନେଇ ଟ୍ଵିଟ କରିଥିଲା । ଯଦି ୨୮ ଦିନ ମଧ୍ୟରେ ସେ ଏହି ଜରିମାନା ନ ଭରନ୍ତି ତେବେ ଏହି ମାମଲା ଅଦାଲତକୁ ଯିବ। ଆଉ ଜରିମାନା ଟଙ୍କା ୧୦୦ରୁ ୫୦୦ ପାଉଣ୍ଡ ବଢ଼ିଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ବ୍ରିଟେନରେ ସିଟ୍ ବେଲ୍ଟ ନପିନ୍ଧିଲେ ତତ୍କାଳ ୧୦୦ ପାଉଣ୍ଡ ଜରିମାନା କରାଯାଏ। ତେବେ ଯଦି ମାମଲା କୋର୍ଟକୁ ଯାଏ ତେବେ ଜରିମାନା ୫୦୦ ପାଉଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ପାଏ।