ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା
ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର ମୁଖ୍ୟ ପଣ୍ଡିତ କେଶବ ଦେବ ବେକରେ ଚପଲ ମାଳ ପିନ୍ଧି ସହରରେ ନିଜର ପ୍ରଚାର କରୁଛନ୍ତି ।

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର ମୁଖ୍ୟ ପଣ୍ଡିତ କେଶବ ଦେବ ବେକରେ ଚପଲ ମାଳ ପିନ୍ଧି ସହରରେ ନିଜର ପ୍ରଚାର କରୁଛନ୍ତି ।
ସ୍ୱାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବଙ୍କୁ ନିର୍ବାଚନ ଆୟୋଗ ଚପଲ ଚିହ୍ନ ଆବଣ୍ଟିତ କରିଛନ୍ତି । ତେଣୁ ସେ ପାରମ୍ପରିକ ଫୁଲର ମାଳ ସହିତ ବେକରେ ୭ଟି ଚପଲର ମାଳ ପିନ୍ଧି ସହରରେ ବୁଲି ବୁଲି ପ୍ରଚାର କରୁଛନ୍ତି । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ସହରରେ ମଧ୍ୟ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି ।
ପଣ୍ଡିତ କେଶବ ଦେବ ନିଜକୁ ଜଣେ ଆର୍ଟିଆଇ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ପୂର୍ବରୁ ସେ ବିଧାୟକ ପାଇଁ ମଧ୍ୟ ନିର୍ବାଚନ ଲଢ଼ିସାରିଛନ୍ତି । ବର୍ତ୍ତମାନ ସେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । କେଶବ ଦେବ ଚପଲର ମାଳ ବେକରେ ପକାଇ ଲୋକଙ୍କୁ ଏହି ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରୁଛନ୍ତି ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ସେ ନିଜର ନିର୍ବାଚନୀ ପ୍ରଚାର ପାଇଁ ଏଭଳି ନିଆରା ତରିକା ଆପଣାଇଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ମଧ୍ୟ କେଶବ ଦେବ ଚପଲର ମାଳ ପିନ୍ଧି ପ୍ରଚାର କରୁଥିବାର ଦେଖାଯାଇଥିଲା । ସୂଚନାଥାଉ କି, ଭ୍ରଷ୍ଟାଚାର ବିରୋଧୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି ପଣ୍ଡିତ କେଶବ ଦେବ ଏବଂ ‘ମାନବ ଅଧିକାରର ଯୁଦ୍ଧ’ ତାଙ୍କ ପାର୍ଟିର ପଞ୍ଚଲାଇନ୍ ରହିଛି ।
କେଶବ ଦେବ ଗତବର୍ଷ ନଭେମ୍ବରରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ସେ ଅଷ୍ଟ୍ରେଲିଆ କ୍ରିକେଟର ମିଶେଲ ମାର୍ଶଙ୍କ ବିରୋଧରେ ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିବାକୁ ନେଇ ଆଲିଗଡ଼ର ଦିଲ୍ଲୀ ଗେଟ୍ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଯଦିଓ ପରେ ଆଲିଗଡ଼ ପୋଲିସ ସ୍ପଷ୍ଟ କରିଥିଲା ଯେ ମିଶେଲ ମାର୍ଶଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ ।