ଗାଜିଆବାଦ: ରାସ୍ତା ମଝିରେ ବସିଥିବା ଯୁବକଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଲା କାର୍‌, ଆହତ ଯୁବକ ମୃତ

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ପୁଣି ଏକ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କାର୍‌ ରାସ୍ତା ମଝିରେ ବସିଥିବା ଜଣେ ଯୁବକଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ଫଳରେ ଏଥିରେ ଆହତ ଯୁବକଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ପୁଣି ଏକ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଆରଡିସି ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଏକ କାର୍‌ ରାସ୍ତା ମଝିରେ ବସିଥିବା ଜଣେ ଯୁବକଙ୍କୁ ପ୍ରଥମେ ଧକ୍କା ଦେଇଥିଲା ଏବଂ ଏହାପରେ କାର୍‌ ତଳେ ଲାଖି ରହିଥିବା ଯୁବକଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଏହି ଦୁର୍ଘଟଣାରେ ଯୁବକଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ସେପଟେ ବ୍ରିଜ୍‌ ପାଖରେ ଏକ ଜନ୍ମଦିନ ପାଳୁଥିବା ଯୁବକମାନେ ଏହି ଘଟଣାର ଭିଡିଓ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ନିଜକୁ ବୁଲନ୍ଦସହରର ବିଜେପି ବିଧାୟକଙ୍କ ସମ୍ପର୍କୀୟ ବୋଲି କହିଛନ୍ତି।

ସୂଚନା ମୁତାବକ, ଏହି ଘଟଣା ଗାଜିଆବାଦର କଭିନଗର ଥାନା ଅଧୀନ ଆରଡିସି ରାଜନଗର ବ୍ରିଜ ନିକଟରେ ଘଟିଛି। ଏଠାରେ କିଛି ଯୁବକ ନିଜ ସାଙ୍ଗର ଜନ୍ମଦିନ ଉତ୍ସବ ପାଳନ କରୁଥିଲେ। ଏହି ସମୟରେ କେତେଜଣ ସୋସିଆଲ ମିଡିଆରେ ଲାଇଭ୍ ଥିବାବେଳେ ଆଉ କେତେଜଣ ନର୍ମାଲ ଭିଡିଓ କରୁଥିଲେ। ଏତିକି ବେଳେ ରାସ୍ତାରେ ଆସୁଥିବା ଏକ କାର୍‌ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଜଣକ ରାସ୍ତା ମଝିରେ ବସିଥିଲେ।

ପାର୍ଟି କରୁଥିବା ଯୁବକମାନଙ୍କ କହିବା ହେଲା, ରାସ୍ତାରେ ବସିଥିବା ଯୁବକ କାର୍‌ର ହେଡଲାଇଟ୍‌ରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲେ। ଏହା ସତ୍ତ୍ୱେ ଚାଳକ ଯୁବକଙ୍କ ଉପରେ କାର୍‌ ଚଢ଼ାଇ ଦେଇଥିଲେ। ଏତିକି ନୁହେଁ, ଅଭିଯୁକ୍ତ ଗାଡ଼ିକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ମଧ୍ୟ ନେଇଥିଲେ। ଯୁବକ ଜଣକ କାର୍‌ ତଳେ ଫସି ରହିଥିଲେ। ଯୁବକମାନେ ବଡ଼ ପାଟି କରିବାରୁ କାର୍‌ଟି ସେଠାରେ ଅଟକିଥିଲା।

ଏହି ପୂରା ଘଟଣା ଯୁବକମାନଙ୍କ ମୋବାଇଲରେ କଏଦ ହୋଇଥିଲା। ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଯୁବକମାନଙ୍କଠାରୁ ମିଳିଥିବା ଭିଡିଓ ଆଧାରରେ ପୋଲିସ କାର୍‌କୁ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.