ଆମାଜନକୁ ନୋଟିସ, ଅଯୋଧ୍ୟା ରାମମନ୍ଦିର ନାଁରେ ପ୍ରସାଦ ବିକୁଥିବା ଅଭିଯୋଗ

ଅନଲାଇନ ସାଇଟ୍‌ ଆମାଜନକୁ ନୋଟିସ ପଠାଇଲେ କେନ୍ଦ୍ର ସରକାର । ଅନଲାଇନରେ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାଁରେ ମିଠେଇ ବିକ୍ରି ଅଭିଯୋଗରେ ନୋଟିସ କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ-CCPA ।

ଭକ୍ତଙ୍କ ଭାବନା ସହ ଖେଳିଥିବାରୁ ଆମାଜନକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ଅନଲାଇନରେ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାଁରେ ମିଠେଇ ବିକ୍ରି ଅଭିଯୋଗରେ ନୋଟିସ କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ-CCPA । ଏନେଇ ୭ ଦିନ ମଧ୍ୟରେ କୈଫିୟତ ତଲବ କରାଯାଇଛି ।

ଖବର ମୁତାବକ, ଅଯୋଧ୍ୟା ରାମ ମନ୍ଦିର ପ୍ରସାଦ ନାଁରେ ଆମାଜନ ଇଣ୍ଡିଆ ମିଠେଇ ବିକୁଥିବା ନେଇ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT)ଅଭିଯୋଗ କରିଥିଲା । ଏହା ଉପରେ CCPAର ମୁଖ୍ୟ କମିଶନର ତଥା କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ଯାଞ୍ଚ କରିଥିଲେ । ରାମ ମନ୍ଦିର ପ୍ରସାଦ ନାଁରେ ଆମାଜନ ଲଡୁ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକୁଥିବା ନଜରକୁ ଆସିଛି । ଏହାଦ୍ବାରା ଆମାଜନ ଲୋକଙ୍କୁ ଭ୍ରମିତ କରୁଛି । ଖାଉଟିମାନେ ପ୍ରଭାବିତ ହେଉଛନ୍ତି ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଖାଉଟି ସୁରକ୍ଷା ନିୟମ-୨୦୨୦ ଅନୁସାରେ ଇ-କମର୍ସ କଂପାନୀ ବେଆଇନ ଭାବେ କାରବାର କରିପାରିବେ ନାହିଁ । ଭ୍ରମିତ କରିବା ଭଳି ବିଜ୍ଞାପନ ଦେଇପାରିବେ ନାହିଁ ବୋଲି ଆଇନରେ ରହିଛି । ଏହି ଘଟଣାରେ ୭ ଦିନ ମଧ୍ୟରେ ଜବାବ ଦାଖଲ ନକଲେ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମାଜନରେ ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ, ରଘୁପତି ଘିଅ ଲଡୁ, ଅଯୋଧ୍ୟା ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ, ଖୋୟା ଖୋବି ଲଡ୍ଡୁ, ରାମ ମନ୍ଦିର ଅଯୋଧ୍ୟପ୍ରସାଦ, ଦେଶୀ ଗାଈ କ୍ଷୀର ପେଡା ସାମିଲ ରହିଛି ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେବେ । ଏଥିପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.