Below header

କରୋନା ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ଏଡାଇ ଦିଆଯାଇନପାରେ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କରୋନା ଲଢେଇରେ ଟିକାର ବ୍ୟବହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କଂପାନୀର କରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ବିତରଣ ପାଇଁ ଚାଲିଛି ପ୍ରସ୍ତୁତି। ତେବେ କରୋନା ଟିକା ନେବା ପରେ ଏହାର ପ୍ରତିକୂଳ ପ୍ରଭାବକୁ ଏ଼ଡାଇ ଦିଆଯାଇନପାରେ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାର ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସତର୍କ କରାଇଛନ୍ତି । ଦଶନ୍ଧି ଧରି ଦେଶରେ ସାର୍ବଜନୀନ ଟିକାକରଣ ହୋଇଆସିଛି । ବିଭିନ୍ନ ସମୟରେ ଟିକା ନେବା ପରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ କିଛିଟା ପ୍ରତିକୂଳ ପ୍ରଭାବ ଦେଖାଦେଉଥିବା ନଜର ଆସିଛି । ଏଭଳି କ୍ଷେତ୍ରରେ କୋଭିଡ ୧୯ ଟିକା ନେବା ପରେ କିଛି ସମସ୍ୟା ଉପୁଜିବାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ସେ କହିଛନ୍ତି । ବ୍ରିଟେନ ଭଳି ଯେଉଁ ଦେଶ ମାନଙ୍କରେ କୋଭିଡ ପାଇଁ ଟିକାକରଣ ହୋଇଛି ସେଠାରେ ଏଭଳି ସମସ୍ୟା ଦେଖାଯାଇଛି ।

ସେପଟେ ଆମେରିକାକୁ ଖୁବ ଶୀଘ୍ର ମିଳିବ ଦ୍ୱିତୀୟ କରୋନା ଟିକା । ଚଳିତ ସପ୍ତାହ ଶେଷ ବେଳକୁ ଆମେରିକାରେ କରୋନା ମୁକାବିଲା ପାଇଁ ମୋଡେର୍ଣ୍ଣା ଟିକାର ବ୍ୟବହାରକୁ ଅନୁମତି ମିଳିପାରେ। ଏନେଇ ଏଫଡିଏର ବୈଜ୍ଞାନିକ ମାନେ ଅନୁମତି ଦେଇଛନ୍ତି । ମୋଡେର୍ଣ୍ଣା ଟିକା ୯୪ ପ୍ରତିଶତ ଫଳପ୍ରଦ ବୋଲି କ୍ଲିନିକାଲ ଟ୍ରାଏଲରୁ ସ୍ପଷ୍ଟ ହୋଇଛି। ୩୦ ହଜାର ଲୋକଙ୍କୁ ନେଇ ହୋଇଥିବା ପରୀକ୍ଷଣରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିଲା । ଶୁକ୍ରବାର ସୁଦ୍ଧା ମୋଡେର୍ଣ୍ଣା ଟିକାର ବ୍ୟବହାର କରିବାକୁ ଏଫଡିଏ ଅନୁମତି ଦେଇପାରେ । ୬ମିଲିୟନ ମୋଡେର୍ଣ୍ଣା ଟିକାକୁ ୩ହଜାର ୨୮୫ଟି କେନ୍ଦ୍ରରେ ଦିଆଯିବ । ବୟସ୍କଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଭାବଶାଳୀ ରହିଛି ।

ଜନସଂଖ୍ୟା ଦୃଷ୍ଟିରୁ ଭାରତରେ କରୋନା ସଂକ୍ରମିତ ମୃତ୍ୟୁ ବିଶ୍ୱରେ ସବୁଠାରୁ କମ୍‌ ରହିଛି। କରୋନାର ମୁକାବିଲା ପାଇଁ ଭାରତରେ ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ କରାଯିବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ କରୋନାର ସମୁଖ ଯୋଦ୍ଧା ଓ ପରେ ବିଭିନ୍ନ ଗମ୍ଭୀର ରୋଗରେ ପୀଡ଼ିତ ୫୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଟିକା ପ୍ରଦାନ କରିବାକୁ ସ୍ଥିର ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.