ଚୀନ୍‌ ଜାଲରେ ଶ୍ରୀଲଙ୍କା କେମିତି ଫସିଲା ଓ ଆଜି ଏ ଦୁର୍ଦ୍ଦଶା ଭୋଗୁଛି କେମିତି ଜାଣନ୍ତୁ

ଗୋଟିଏ ଦେଶ ଯୁଦ୍ଧରେ ବର୍ବାଦ ହେଉଛି ତ ଆଉ ଗୋଟିଏ ଦେଶ ଅର୍ଥନୈତିକ ସଂକଟରେ ଭୁଶୁଡ଼ିବାରେ ଲାଗିଛି । ସେ ଦେଶ ହେଉଛି ଶ୍ରୀଲଙ୍କା । ବର୍ତ୍ତମାନ ସମୟରେ ଶ୍ରୀଲଙ୍କାର ସ୍ଥିତି ଭୀଷଣ ଭାବେ ବିଗିଡିବାରେ ଲାଗିଛି । ଏଠାରେ ଦରବୃଦ୍ଧି ଏତେ ମାତ୍ରାରେ ବଢିଗଲାଣି ଯେ ଲୋକେ ଖାଦ୍ୟ ସାମଗ୍ରୀ କିଣି ପାରୁ ନାହାନ୍ତି । ପେଟକୁ ଗଣ୍ଡେ ଦାନା ମିଳିବା କଷ୍ଟକର ହୋଇପଡ଼ିଛି । ଗୋଟେ ପଟେ ଶ୍ରୀଲଙ୍କାର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଅନ୍ୟପଟେ ସରକାର ବିପକ୍ଷରେ ଲୋକେ ଭୀଷଣ ଭାବେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଲୋକଙ୍କୁ ଖାଦ୍ୟବି ମିଳୁ ନାହିଁ । ଶ୍ରୀଲଙ୍କାରେ ସ୍ଥିତି ବହୁତ ଖରାପ । ଆଉ ସବୁଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ଦେଶ ଜନତା । ଯାହା କୁହାଯାଉଛି କି ଶ୍ରୀଲଙ୍କାର ଆଜିର ସ୍ଥିତି ପାଇଁ ଦାୟୀ ହେଉଛି ଚୀନ୍‌ ।

କରୋନା ପୂର୍ବରୁ ଚୀନ ଶ୍ରୀଲଙ୍କାରେ ବିପୁଳ ପୁଞ୍ଜି ଖଟାଇଥିଲା ଓ ଶ୍ରୀଲଙ୍କାକୁ ଋଣ ଦେଇଥିଲା । ଯଦିଓ କରୋନା ପରେ ଏଥିରେ ବହୁତ କ୍ଷତି ହେଲା ତେବେ ସବୁ ଦୃଷ୍ଟିକୋଣରୁ ଚିନ୍ତା କରି ଚୀନ ଉପରେ ଭରସା କଲା ଓ ତା ଆଗରେ ନଇଁଗଲା । ଯାହାଫଳରେ ସାଧାରଣ ଲୋକଙ୍କ ଜୀବନଚର୍ଯ୍ୟାରେ ସିନା ଉନ୍ନତି ଘଟିଲା ହେଲେ ଧୀରେ ଧୀରେ ଏହି ଦେଶ ଚୀନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଗଲା । ଯାହାର ଫଳ ଏବେ ଦୟନୀୟ ଅବସ୍ଥା ଭୋଗୁଛି ଦେଶ । ଶ୍ରୀଲଙ୍କା ୨୦୨୨ରେ ପାଖାପାଖି ୭ ବିଲିୟନ ଆମେରିକାନ ଡଲାର ବିଦେଶୀ କରଜରେ ଡୁବି ରହିଛି । ଯେଉଁଥିରେ ଚୀନର ଅଧିକ ଭାଗ ରହିଛି । ତେବେ ଚୀନ ତରଫରୁ ଦିଆଯାଇଥିବା କରଜ ଭିତ୍ତିଭୂମି ଠାରୁ ଆରମ୍ଭ କରି ଖନନ ଯାଏଁ ଏସମସ୍ତ ଯୋଜନାରେ କାମ କରିବା ପାଇଁ ଦିଆଯାଉଛି । ତେଣୁ ଏହାକୁ ଜାଣିବା ସହଜ ନୁହେଁ । ଯାହା ଜଣାପଡିଛି କି କରଜ ଠିକ ସମୟରେ ଶୁଝି ନପାରିବାରୁ ଶ୍ରୀଲଙ୍କାକୁ ଏବେ ଚୀନ ଆଗରେ ନଇଁବାକୁ ପଡୁଛି । ପାକିସ୍ତାନ ଓ ନେପାଳ ଭଳି ଦେଶ ଏଭଳି ଉଦାହରଣ ଭାବେ ଧରାଯାଇ ପାରିବ । ଏମିତିରେ ଶ୍ରୀଲଙ୍କାର ଅନେକ ପ୍ରୋଜେକ୍ଟ ଉପରେ ଚୀନ୍‌ର ଅକ୍ତିଆର ରହିଛି । ତେଣୁ ଲଙ୍କାର ଅନେକ ପ୍ରୋଜେକ୍ଟ ଏବେ ଲିଜରେ ଚାଲିଛି। ଯାହାଫଳରେ ଦିନେ ସୁନାର ଲଙ୍କା ଭାବେ ପରିଚିତ ଥିବା ଶ୍ରୀଲଙ୍କା ଧୀରେ ଧୀରେ ବର୍ବାଦି ଆଡକୁ ଗତି କରୁଛି ।

ଶ୍ରୀଲଙ୍କାର ସରକାର ନିଜର ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଦ୍ୱାରା ୧୯୮୦ରୁ ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ପାଇଁ ନୀତିରେ ପରିବର୍ତ୍ତନ କରିଥିଲେ । ତେବେ ଏହି ନୀତି ଚୀନ ପାଇଁ ଲାଭପ୍ରଦ ହେଲା । ତା ସହିତ ଶ୍ରୀଲଙ୍କାର ଏହି ଦେବାଳିଆ ପରିସ୍ଥିତିରୁ ଚୀନ୍‌ ମଧ୍ୟ ଭରପୂର ଫାଇଦା ଉଠାଇଲା । ବାସ୍ତବ କଥା ହେଉଛି କରୋନା ଭାଇରସ ପାଇଁ ସବୁ ଦେଶର ଅର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିଲା । କିନ୍ତୁ ଶ୍ରୀଲଙ୍କା ଏଥିରେ ଅଧିକ ପ୍ରଭାବିତ ହୋଇଥିଲା । ତେବେ ସଂକଟ ଆସିବାର କାରଣ ହେଉଛି ଶ୍ରୀଲଙ୍କାର ସର୍ବାଧିକ ଆୟ ଆସିଥାଏ ପର୍ଯ୍ୟଟନରୁ । ତେବେ କୋଭିଡ୍‌ ସମୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ସବୁଠୁ ବେଶି ପ୍ରଭାବ ପଡ଼ିଥିଲା । କୁହାଯାଉଛି କି ଏଭଳି ସ୍ଥିତିରେ ଚୀନକୁ ସାହାଯ୍ୟ ନାମରେ ଏକ ସୁଯୋଗ ମିଳିଗଲା । କିନ୍ତୁ ପ୍ରକୃତରେ ଶ୍ରୀଲଙ୍କାରେ ଏହାର ମୂଳଦୁଆ କୋଭିଡ ପୂର୍ବରୁ ହିଁ ଚୀନ ରଖି ସାରିଥିଲା ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୦୫ରୁ ୨୦୧୫ ମସିହା ଭିତରେ ହିଁ ଚୀନ ବିକାଶ ସହାୟତା ବା ଓଡିଏ ଜରିଆରେ ଶ୍ରୀଲଙ୍କରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଖଟାଇଥିଲା । ଯାହା ପ୍ରମୁଖ ସମସ୍ୟା ଭାବେ ଉଭା ହେଲା । ଯେଉଁଥିରେ ଅଧିକାଂଶ ଲୋନ ଓଡିଏରୁ ହିଁ ଥିଲା । ଚୀନ ଶ୍ରୀଲଙ୍କାରେ ଅନେକ ପ୍ରୋଜେକ୍ଟ ଆରମ୍ଭ କଲା ଓ ଏହି ପ୍ରୋଜେକ୍ଟ ଜରିଆରେ ରୋଜଗାର ବିକାଶ ଆଦି କଥା କୁହାଗଲା । ଏହିଭଳି ଭାବରେ ଚୀନ ଶ୍ରୀଲଙ୍କାରେ ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଲା । ଆଉ ଆଜି ସ୍ଥିତି ଏମିତି ଯେ ଲଙ୍କାରେ ଚା’ କପ୍‌ ଦାମ୍‌ ୧୦୦ ଟଙ୍କା ହେଲା ବେଳକୁ ଚାଉଳ କିଲୋ ୫୦୦ ଟଙ୍କାରେ ପହଞ୍ଚିଛି । ଦେଶରେ ଅରାଜକତା ଓ ଅଶାନ୍ତି ସୃଷ୍ଟି ହୋଇଛି । ଏବେ କେବଳ ପଡ଼ୋଶୀ ଦେଶ ହିଁ ସହାୟତା ଜରିଆରେ ଶ୍ରୀଲଙ୍କାକୁ ଏ ସ୍ଥିତିରୁ ଉଦ୍ଧାର କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.