Below header

ସିବିଆଇ ଠାରୁ ଲୁଚି ସାମ୍ବାଦିକ ସମ୍ମିଳନୀ କଲେ ଚିଦାମ୍ବରମ୍, କହିଲେ ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ ଦୋଷମୁକ୍ତ

ଗିରଫଦାରୀ ଏଡ଼ାଇବାକୁ ଦୁଇ ଦିନ ହେବ ଲାପତ୍ତା ଥିବା ଚିଦାମ୍ବରମ୍‌ ଶେଷରେ ଏଆଇସିସି ହେଡ୍‌କ୍ୱାର୍ଟରରେ ଆବିର୍ଭାବ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ ଦୋଷମୁକ୍ତ । ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଦୁର୍ନୀତିରେ ଲିପ୍ତ ନାହାନ୍ତି । ସିବିଆଇ କିମ୍ବା ଇଡି ଦ୍ୱାରା ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍‌ ଫାଇଲ ହୋଇ ନାହିଁ । ସେ ଆଇନ ଠାରୁ ଲୁଚି ନଥିଲେ । ଆଇନ୍‌ର ସୁରକ୍ଷା ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି ପି. ଚିଦାମ୍ବରମ୍‌ । ଅନ୍ତରୀଣ ସୁରକ୍ଷା ଦେବାକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ପି.ଚିଦାମ୍ବରମ୍‌ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ କରି ଲାପତ୍ତା ହୋଇଥିଲେ । ତାଙ୍କୁ ଆଇନ ଫାନ୍ଦରୁ ମୁକୁଳାଇବା ପାଇଁ ଆରମ୍ଭ ହୋଇଥିଲା ହାଇ ଭୋଲଟେଜ୍‌ ଡ୍ରାମା ।

ଗତକାଲି ହିଁ ଦିଲ୍ଲୀ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ତାଙ୍କ ଓକିଲ କପିଲ ଶିବଲ। କିନ୍ତୁ ଶୁଣାଣି ହୋଇ ପାରିନଥିଲା। ଆଜି ମଧ୍ୟ ଶୁଣାଣି ହୋଇ ପାରିଲା ନାହିଁ। ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ ମଧ୍ୟ ତାଙ୍କ ମାମଲା ତାଲିକାଭୁକ୍ତ ହୋଇ ପାରି ନଥିଲା । ଆସନ୍ତା ଶୁକ୍ରବାର ଏହି ମାମଲାର ଶୁଣାଣି ହେବ । ଅନ୍ୟପଟେ ଗତକାଲିଠାରୁ ଆଜି ମଧ୍ୟରେ ଏକାଧିକ ଥର ଦଦନ୍ତକାରୀ ଟିମ୍‌ ତାଙ୍କ ବାସଭବନରେ ଛାପା ମାରିଛି। ଚିଦାମ୍ବରମଙ୍କୁ ନପାଇ ପ୍ରଥମେ ଇଡି ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା। ପରେ ସିବିଆଇ ମଧ୍ୟ ଲୁକ୍‌ଆଉଟ୍‌ ନୋଟିସ ଜାରି କରିଥିଲା।୨୦୦୭ରେ ପି. ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ INX ମିଡିଆକୁ ଅହେତୁକ ଅନୁକମ୍ପା ନେଇ ଅଭିଯୋଗ ହୋଇଥିଲା।


ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ୍‌ ବୋର୍ଡ ବା FIPB ଅନୁମତିରେ INX ମିଡିଆରେ ବିଦେଶରୁ ୩୦୫ କୋଟି ଟଙ୍କା ନିବେଶ ହୋଇଥିଲା। ଯାହାର ମାଲିକାନା ରହିଥିଲା ପିଟର୍‌ ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଖରେ। ପୁଞ୍ଜି ନିବେଶରେ ଅନିୟମିତତା ଅଭିଯୋଗରେ ୨୦୧୭, ମେ ୧୫ରେ ମାମଲା ରୁଜୁ କରିଥିଲା ସିବିଆଇ। INX ମିଡିଆ ଦୁର୍ନୀତିରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଜେଲ୍‌ ଯାଇଥିବା ବେଳେ ଏବେ ବେଲ୍‌ରେ ଅଛନ୍ତି। ଅଭିଯୋଗ ହୋଇଛି, କାର୍ତ୍ତିଙ୍କ ପରୋକ୍ଷ ମାଲିକାନାରେ ଥିବା ଏକ କମ୍ପାନୀକୁ INX ମିଡିଆରୁ ୧୦ ଲକ୍ଷ ଟଙ୍କା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.