ଚୀନ୍ରେ ନିୟନ୍ତ୍ରଣ ବାହାରେ କରୋନା ଭାଇରସ୍, ବର୍ତ୍ତମାନ ସୁଦ୍ଧା ୧୭ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି
ଚୀନ୍: ଚୀନ୍ରେ ଅସମ୍ଭାଳ ହେଲାଣି ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ରେ ୧୭ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୫୮ ହଜାରରୁ ଅଧିକ ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମେଡିକାଲରୁ ୬ ହଜାର ୬୩୯ ଜଣ ଡିସ୍ଚାର୍ଜ ହୋଇଛନ୍ତି ।
ସେପଟେ ଚୀନ୍ର ଉହାନରୁ ଫେରି ଆଇଟିବିପି କ୍ୟାମ୍ପରେ ଥିବା ଭାରତୀୟଙ୍କ ମଧ୍ୟରୁ ୪୦୬ ଜଣଙ୍କ ଚୂଡାନ୍ତ ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରୁ କେହି କରୋନା ଆକ୍ରାନ୍ତ ହୋଇନାହାନ୍ତି । ଆଜିଠାରୁ ଏମାନେ ଘରକୁ ଫେରିବେ । ପର୍ୟ୍ୟାୟକ୍ରମେ ଏମାନଙ୍କୁ ଘରକୁ ଛଡ଼ାଯିବ ବୋଲି ଜଣାପଡିଛି । ଚୀନରେ କରୋନା ଭାଇରସ୍ ବ୍ୟାପିବା ପରେ ଦୁଇଟି ପର୍ଯ୍ୟାୟରେ ୬ଶହରୁ ଅଧିକ ଭାରତୀୟଙ୍କୁ ଉହାନ୍ରୁ ଫେରାଇ ଅଣାଯାଇଥିଲା । ସମସ୍ତଙ୍କୁ ମାନେସାର ଆଇଟିବିପି କ୍ୟାମ୍ପରେ ରଖାଯାଇଥିଲା।
ସେପଟେ ଜାପାନ କ୍ରୁଜ୍ ଜାହାଜରେ ଥିବା ଥିବାର ଭାରତୀୟଙ୍କ ମଧ୍ୟରୁ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପୂର୍ବରୁ ଜାହାଜରେ ଥିବା ୩ ଜଣ ଭାରତୀୟ ଭାଇରସ୍ ଆକ୍ରାନ୍ତ ହୋଇଥିଲେ । ଜାହାଜରେ ୧୩୮ ଜଣ ଭାରତୀୟ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୀଉ ମେମ୍ବର ଓ ୬ ଜଣ ଯାତ୍ରୀ ଅଛନ୍ତି ।