କିଏ ପିନ୍ଧିବ ମୁକୁଟ ? ଖୋଲିଛି ଇଭିଏମ୍ ପେଡି, ଚାଲିଛି ୫ ରାଜ୍ୟରେ ଭୋଟ ଗଣତି

କେନ୍ଯୁଜ୍: କିଏ ପିନ୍ଧିବ ମୁକୁଟ ? ଏକଜିଟ୍ ପୋଲ୍ ପରେ ଏକ୍ଜାକ୍ଟ ପୋଲ୍ । ଖୋଲୁଛି ଇଭିଏମ୍ ପେଡି। ୫ ରାଜ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ୬୯୦ ଆସନ ପାଇଁ ଚାଲିଛି ଗଣତି । କାହା ସପକ୍ଷରେ ଜନତା ରାୟ ଦେଇଛନ୍ତି ଗଣତି ପରେ ସ୍ପଷ୍ଟ ହେବ । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ପୋଷ୍ଟାଲ ଗଣତି। ସବୁଠୁ ଅଧିକ ନଜର ରହିଛି ଉତ୍ତର ପ୍ରଦେଶ ଉପରେ । ଏକଜିଟ୍ ପୋଲ୍ ଆକଳନ ଥିଲା ସ୍ପଷ୍ଟ ବହୁମତ ସହ ଉତ୍ତର ପ୍ରଦେଶରେ ସରକାର ଗଢ଼ିବ ବିଜେପି ମେଣ୍ଟ । ବିଜେପି ସରକାର ଗଢ଼ିଲେ ପ୍ରଥମ ବିଜେପି ନେତା ଭାବେ ୟୁପିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ ।
ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁଯାୟୀ, ୨୬୦ ପର୍ଯ୍ୟନ୍ତ ଆସନ ପାଇପାରେ ବିଜେପି । ୟୁପି ବିଧାନସଭାର ଆସନ ସଂଖ୍ୟା ୪୦୩ ରହିଛି । ଅର୍ଥାତ୍ ଏକଜିଟ୍ ପୋଲ ଆକଳନ ଅନୁସାରେ ମ୍ୟାଜିକ୍ ନମ୍ବର ଠାରୁ ଯଥେଷ୍ଟ ଅଧିକ ସିଟ୍ ଦଖଲ କରି ସହଜରେ ସରକାର ଗଢ଼ିପାରନ୍ତି ଯୋଗୀ । ବିଜେପିକୁ କଡ଼ା ଟକ୍କର ଦେଇଛି ସମାଜବାଦୀ ପାର୍ଟି । ଏକଜିଟ୍ ପୋଲ୍ ଅନୁଯାୟୀ ମାୟାବତୀଙ୍କ ବିଏସ୍ପି ଦୁର୍ବଳ ପ୍ରଦର୍ଶନ କରିବ । ୟୁପିରେ ସତ୍ତାହୀନ ହୋଇପାରେ କଂଗ୍ରେସ ।