୨୪ ଘଣ୍ଟାରେ କେଜ୍ରିଓ୍ଵାଲଙ୍କୁ ଆଉ ଏକ ଝଟ୍‌କା, ସପ୍ତାହରେ ୫ ଥର ଓକିଲଙ୍କୁ ଭେଟିବା ଆବେଦନ ଖାରଜ

କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବା ପାଇଁ ଅନୁମତି ମାଗିଥିଲେ । ବର୍ତ୍ତମାନ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟ୍‌କା ମିଳିଛି । ନ୍ୟାୟିକ ହେପାଜତରେ ରହିବା ବେଳେ ଓକିଲଙ୍କୁ ଭେଟିବା ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବା ପାଇଁ ଅନୁମତି ମାଗିଥିଲେ । ବର୍ତ୍ତମାନ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କେଜ୍ରିଓ୍ଵାଲଙ୍କୁ ଏହା ହେଉଛି ଦ୍ୱିତୀୟ ବଡ଼ ଝଟ୍‌କା । ଏହାପୂର୍ବରୁ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଇଡି ଦ୍ୱାରା ତାଙ୍କ ଗିରଫଦାରୀକୁ ହାଇକୋର୍ଟ ଯଥାର୍ଥତା ବୋଲି କହିଥିଲେ ।

ହାଇକୋର୍ଟ କହିଥିଲେ ଯେ ଜଣେ ସାଧାରଣ ଏବଂ ଜଣେ ବିଶେଷ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଅଲଗା ଅଲଗା ହୋଇପାରିବ ନାହିଁ । କହି ରଖୁଛୁ କି, ଇଡି ପକ୍ଷରୁ କେଜ୍ରିଓ୍ଵାଲଙ୍କୁ ୯ ଥର ସମନ ଜାରି ହୋଇଥିଲା । ଏହା ପରେ ମଧ୍ୟ ସେ ପଚରାଉଚରା ପାଇଁ ହାଜର ହୋଇ ନ ଥିଲେ । ମାର୍ଚ୍ଚ ୨୧ରେ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ।

ସେପଟେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିଓ୍ଵାଲ । ତାଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କୁ କୋର୍ଟରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି । ଆଜିଠାରୁ କୋର୍ଟ ୪ ଦିନ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା ତଦନ୍ତ ଏଜେନ୍ସି । କେଜ୍ରିଓ୍ଵାଲଙ୍କ ଆବେଦନକୁ ଇଡି ବିରୋଧ କରିଥିଲା । ଏଜେନ୍ସି କହିଥିଲା କି, କେଜ୍ରିଓ୍ଵାଲ ନିର୍ବାଚନ ଆଧାରରେ ଗିରଫଦାରୀରୁ ବଞ୍ଚିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.