ଚୀନ୍‌ରେ ବେକାବୁ ହେଲାଣି କରୋନା! ସାଂଘାଇ ଲକ୍‌ଡାଉନ୍‌ରେ ଫସିଛନ୍ତି ଭାରତୀୟ ଅଧିକାରୀ, ଗାଇଡ୍‌ଲାଇନ୍‌ ଜାରି କଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ରେ ଏବେ ବି ବେକାବୁ ରହିଛି କରୋନା। କଡ଼ା ପ୍ରତିବନ୍ଧକ ପରେ ବି ଚୀନ୍‌ରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଚୀନ୍‌ର ଆର୍ଥିକ ରାଜଧାନୀ ସାଂଘାଇରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ଏପ୍ରିଲ ୪ରୁ କଡ଼ା ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଲୋକଙ୍କ ପାଖରେ ଖାଦ୍ୟ ପଦାର୍ଥର ଘୋର ଅଭାବ ଦେଖିବାକୁ ମିଳିଛି। ଏଠାରେ ସାଧାରଣ ଜନତା ବି ଚିନ୍ତାରେ ଅଛନ୍ତି।

ଚୀନ୍‌ ସରକାର ଲକ୍‌ଡାଉନ୍‌ ନେଇ ବେଶ୍‌ ଶକ୍ତ ଅଛନ୍ତି। ଚୀନ୍‌ରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ସେଠାରେ ଜିରୋ କୋଭିଡ୍‌ ନୀତିର ଆଲୋଚନା ଚାଲିଛି। ସରକାରଙ୍କର ଏହି ଜିରୋ ଟଲରାନ୍ସ ନୀତିର ପ୍ରଭାବ ଅନ୍ୟ ଦେଶର ଅଧିକାରୀଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ଆମେରିକା ପରେ ଏବେ ଚୀନ୍‌ରେ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ବଡ଼ ବୟାନ ଜାରି କରାଯାଇଛି।

ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ସାଂଘାଇରେ ଲକ୍‌ଡାଉନ୍‌ ଯୋଗୁ ଭାରତର ମହାବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ ହୋଇପାରୁନାହିଁ। ମହାବାଣିଜ୍ୟ ଦୂତାବାସ ସାଂଘାଇରେ ବ୍ୟକ୍ତିଗତ ରୂପରେ ସେବା ପ୍ରଦାନ କରିବା ସ୍ଥିତିରେ ନାହିଁ। ଭାରତୀୟଙ୍କ ପାଇଁ ଦୂତାବାସ ପକ୍ଷରୁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ପୂର୍ବ ଚୀନ୍‌ରେ ରହୁଥିବା ଭାରତୀୟ ନାଗରିକ ବାଣିଜ୍ୟିକ ଦୂତାବାସ ସମ୍ବନ୍ଧୀୟ ସେବା ପାଇଁ ବେଜିଂସ୍ଥିତ ଭାରତୀୟ ଦୂତାବାସରେ ଆବେଦନ କରିପାରିବେ। ଏହା ବ୍ୟତୀତ କୌଣସି ବ୍ୟକ୍ତି ବେଜିଂରେ ବ୍ୟକ୍ତିଗତ ରୂପେ ଦସ୍ତାବିଜ୍‌ ପ୍ରସ୍ତୁତ କରିବା ସ୍ଥିତିରେ ନଥିଲେ, ସେ କୌଣସି ପ୍ରତିନିଧିଙ୍କୁ ନିୟୋଜିତ କରିପାରିବେ। କୌଣସି ଜରୁରୀକାଳୀନ ସ୍ଥିତିରେ +୮୬ ୧୮୯ ୩୦୩୧ ୪୫୭୫/୧୮୩ ୧୭୧୬ ୦୭୩୬ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Also Read: ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ପୁଣି ୮ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବନ୍ଦ ହେଲା ସ୍କୁଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.