ବୈଷ୍ଣୋ ଦେବୀଙ୍କ ଦର୍ଶନ ନାଁରେ ସାଇବର ଅପରାଧୀ ବିକୁଛନ୍ତି ନକଲି ହେଲିକାପ୍ଟର ଟିକେଟ୍‌! ବିହାରରୁ ୩ ଗିରଫ

ବିହାର ରାଜଧାନୀ ପାଟନାରେ ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ଏବେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ନାଁରେ ଲୋକେ ସାଇବର ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ସାଇବର ଅପରାଧୀମାନେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଲଗାତାର ଠକି ଚାଲିଥିଲେ। ଏ ନେଇ ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଆଧାରରେ ବିହାରର ଆର୍ଥିକ ଅପରାଧ ଶାଖା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୋଲିସ ମୁତାବକ, ପାଟନା ଏବଂ ବିହାରର କିଛି ସାଇବର ଅପରାଧୀ ବୈଷ୍ଣୋ ଦେବୀ ତୀର୍ଥଯାତ୍ରୀଙ୍କୁ କଟରାରୁ ବୈଷ୍ଣୋ ଦେବୀ ମନ୍ଦିର ଯିବା ପାଇଁ ନକଲି ହେଲିକାପ୍ଟର ଟିକେଟ୍‌ ଜାରି କରି ଆସୁଥିଲେ। ଏଥି ସହିତ ସେମାନେ ଏହି ପଇସାକୁ କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ସେଥିରେ ରଖି ଥାଆନ୍ତି ଏବଂ ପରେ ସେହି ଆକାଉଣ୍ଟରୁ ଟଙ୍କା ଉଠାଇ ନିଅନ୍ତି।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ପରେ ବିହାରର ଆର୍ଥିକ ଅପରାଧ ଶାଖା ଏବଂ ପୋଲିସ ଟିମ୍‌ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ସାଇବର ଅପରାଧୀଙ୍କୁ ପାଟନାରୁ ଗିରଫ କରିଛି। ସେମାନେ ହେଲେ, ଖଗଡ଼ିଆର ଲକ୍ଷପତି ପାସ୍‌ଓ୍ଵାନ, ଅଶୋକ ମିସ୍ତ୍ରୀ ଓ ସନ୍ତୋଷ କୁମାର। ସମସ୍ତଙ୍କ ଆକାଉଣ୍ଟକୁ ଠକେଇ ପଇସା ଟ୍ରାନ୍ସପର ହୋଇଛି। ପୋଲିସ ଏହି ମାମଲାରେ ପଚରାଉଚରା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.