ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ଦେଖାଇଲାଣି ବାତ୍ୟା ‘ବିପର୍ଯ୍ୟୟ’: ଗୁଜୁରାଟରେ ୩ ଜଣଙ୍କ ମୃତ୍ୟୁ, ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର

ଗୁଜୁରାଟରେ ଦୁଇ ପିଲାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହେଲାଣି । ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରୁଛି ପ୍ରଶାସନ । ପଶ୍ଚିମ ରେଲୱେ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସତର୍କତାମୂଳକ ଭାବେ ୭୦ଟି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ବିପତ୍ତି ଘଟାଇବ ‘ବିପର୍ଯ୍ୟୟ’ । ଗୁଜରାଟ ମୁହାଁ ଏବେ ବାତ୍ୟା । ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ଦେଖିବାକୁ ମିଳିଲାଣି । ଗୁଜୁରାଟରେ ଦୁଇ ପିଲାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହେଲାଣି । ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରୁଛି ପ୍ରଶାସନ । ପଶ୍ଚିମ ରେଲୱେ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସତର୍କତାମୂଳକ ଭାବେ ୭୦ଟି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ।

କାଣ୍ଡଲା ବନ୍ଦରରେ ୧୦ନଂ ବିପଦ ସଙ୍କେତ ସହ ଜାହାଜଗୁଡ଼ିକୁ ଖାଲି କରାଯାଇଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ NDRF ଟିମ୍‌କୁ ମୁତୟନ କରାଯାଇଛି। କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼, ମୋର୍‌ବୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟା ଅତ୍ୟନ୍ତ କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ଗୁଜରାଟର ସମସ୍ତ ଜିଲ୍ଲାକୁ ୧୪ ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ତାରିଖରେ ରେଡ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ରରେ ମଧ୍ୟ ସମୁଦ୍ର ଅଶାନ୍ତ ଥିବା ବେଳେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି । ମୁମ୍ବାଇ ବିମାନବନ୍ଦରରୁ ଅନେକ ବିମାନ ବାତିଲ କରାଯାଇଛି ।

ବର୍ତ୍ତମାନ ପୋରବନ୍ଦରଠାରୁ ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ଘଣ୍ଟାପ୍ରତି ଏବେ ବେଗ ରହିଛି ୧୨ କିଲୋମିଟର । ୧୪ ତାରିଖ ସକାଳ ସୁଦ୍ଧା ଉତ୍ତର ଦିଗରେ ଗତି କରି ଦିଗ ବଦଳାଇବ । କ୍ରମଶଃ ଉତ୍ତର-ଉତ୍ତପପୂର୍ବ ଦିଗରେ ଗତି କରି ୧୫ ତାରିଖ ସଂଧ୍ୟା ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ମଧ୍ୟରେ ଅତିକ୍ରମ କରିବ। ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟରେ ଗୁଜରାଟର ଜାଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ରହିବ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି । ପବନର ବେଗ ବଢି ୧୫୦ କିମି ମଧ୍ୟ ଛୁଇଁପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.