Below header

ଚୁଲି ନିଆଁ କୁହୁଳି ରାତି ଅଧରେ ଫାଟିଲା ସିଲିଣ୍ଡର, ଜିଅଁନ୍ତା ଜଳିଗଲେ ପରିବାରର ୫ ଜଣ

ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ। ସୋମବାର ବିହାରର କିଶନଗଞ୍ଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲିଣ୍ଡର ଫାଟିଯାଇ ଏଠାରେ ପରିବାରର ୫ ଜଣ ଜିଅଁନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ୪ ପିଲା ଅଛନ୍ତି। ତେବେ ସୌଭାଗ୍ୟବଶତଃ ମା’ ବଞ୍ଚିଯାଇଛନ୍ତି।

ମିଳିଥିବା ସୂଚନାନୁସାରେ, ସହରର ମୋହିଉଦୀନ୍‌ପୁର ସଲାମ୍‌ କଲୋନୀର ନୁର ଆଲମ୍‌ଙ୍କ ଘରେ ସୋମବାର ଦିନ ସିଲିଣ୍ଡର ଫାଟିବାରୁ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀଙ୍କ ସମେତ ୪ ଜଣ ପିଲା ଜିଅଁନ୍ତା ଜଳିଯାଇଥିଲେ। ତେବେ ସମସ୍ତଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏହି ଦୁର୍ଘଟଣାରେ ମା’ଙ୍କୁ ଛାଡ଼ି ଦେଇ ଅନ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ନୁର ଆଲମ୍‌ ଓ ତାଙ୍କ ଝିଅ ତୋହଫା ପ୍ରବୀଣ(୧୦), ସବ୍‌ନମ୍‌ ପ୍ରବୀଣ(୮), ରହମନ୍‌ ରଜା(୬) ଓ ପୁଅ ମୋ.ଶାହିଦ୍‌(୩) ଅଛନ୍ତି। ନୁରଙ୍କ ପତ୍ନୀ ଶେହଜାଦୀ ବାନୋଙ୍କ ଅବସ୍ଥା ଗମ୍ଭୀର ରହିଛି। ଶବକୁ ପୋଷ୍ଟମର୍ଟମ୍‌ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୋଲିସ ସୂଚନା ମୁତାବକ, ରବିବାର ରାତିରେ ଶେହଜାଦୀ ବାନୋ ଚୁଲିରେ ରୋଷେଇ କରିବା ପରେ ସମସ୍ତେ ଖାଇ ପିଇ ଶୋଇଥିଲେ। ସୋମବାର ଭୋର୍‌ ପ୍ରାୟ ୪ ଟା ବେଳେ ସିଲିଣ୍ଡର ଫାଟିଥିଲା। ଏନେଇ ବାନୋ କହିଛନ୍ତି, ରାତିରେ ସେ ଚୁଲି ଲିଭାଇଥିଲେ ମଧ୍ୟ ତାହା ଠିକ୍‌ଭାବେ ଲିଭିନଥିଲା। ଚୁଲି ନିଆଁ କୁହୁଳି କୁହୁଳି ଘରେ ଲାଗିଯାଇଥିଲା ଫଳରେ ପାଖରେ ଥିବା ସିଲିଣ୍ଡର ବ୍ଲାଷ୍ଟ୍‌ କରିଥିଲା। ଶବ୍ଦ ଶୁଣି ସେ ଉଠିବା ବେଳକୁ ଘର ସାରା ନିଆଁ ଲାଗିସାରିଥିଲା। ଏଭଳି ସ୍ଥିତିରେ ସେ ପୁଅକୁ ନେଇ ବାହାରିବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଅ ପୁଣିଥରେ ଭିତରକୁ ଚାଲିଯିବାରୁ ସେ ଜଳିଯାଇଥିଲା। ନିଆଁ ଏତେ ଜୋର୍‌ରେ ଲାଗିଥିଲା ଯେ ଘରର ଅନ୍ୟ ସଦସ୍ୟ ବାହାରକୁ ଆସିପାରିନଥିଲେ। ଫଳରେ ନିଆଁରେ ଜଳି ସମସ୍ତଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.