ସ୍ପାଇସ ଜେଟ୍‌ ବିମାନରେ ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର କରିବା ଯାତ୍ରୀଙ୍କୁ ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ସ୍ପାଇସଜେଟ ବିମାନରେ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର ଆଲାମ। ଦିଲ୍ଲୀ ପୋଲିସ ନିକଟରେ ସ୍ପାଇସଜେଟର ସୁରକ୍ଷା ଅଧିକାରୀ ସୁଶାନ୍ତ ଶ୍ରୀବାସ୍ତବ ଏହା ବିଷୟରେ ଅଭିଯୋଗ କରିଥିଲେ । ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଉକ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରୁ ଓହ୍ଲାଇ ଦେଇଥିଲେ ।

ଏୟାର ଲାଇନ୍ସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ସୋମବାର ୪.୩୯ରେ ସ୍ପାଇସଜେଟର ଏସଜି-୮୧୩୩ ବିମାନ ଦିଲ୍ଲୀରୁ ହାଇଦ୍ରାବାଦ ଯିବାର ଥିଲା। ଦିଲ୍ଲୀରେ ବୋର୍ଡିଂ ବେଳେ ଜଣେ ଯାତ୍ରୀ ଅତ୍ୟନ୍ତ ଖରାପ ବ୍ୟବହାର କରିବା ସହ ସମସ୍ତଙ୍କୁ ହଇରାଣ କରିଥିଲେ। ଏହା ପରେ କ୍ୟାବିନ କ୍ରୁଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନ କ୍ରୁ ଓ ଆଉ କିଛି ଯାତ୍ରୀ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛନ୍ତି । ଉକ୍ତ ଯାତ୍ରୀ ଜଣଙ୍କ ଜଣେ ମହିଳା କ୍ରୁଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ। ତେବେ ବିମାନରେ ଭିଡ଼ ହୋଇଥିବାରୁ ଭୁଲବଶତଃ ଏପରି ହୋଇଥିବା ଯାତ୍ରୀ ଜଣଙ୍କ କହିଥିଲେ। ଯାତ୍ରୀ ଜଣଙ୍କ ଲିଖିତ ଭାବେ କ୍ଷମା ମାଗିଥିଲେ ମଧ୍ୟ ଏୟାଲାଇନ୍ସ ପକ୍ଷରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣା ବିଷୟରେ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ଦ୍ୱାରା ଆଇପସି ଧାରା ୩୫୧ ଏ ଅଧିନରେ ମାମଲା ଦାୟର ହୋଇଥିଲା ।

ସୂଚନାଯୋଗ୍ୟ, ବିମାନରେ ଅସଦାଚରଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏୟାର ଇଣ୍ଡିଆରେ ଯାତ୍ରୀ ପରିସ୍ରା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ମାମଲାରେ ଜଣକୁ ମଧ୍ୟ ଗିରଫ କରାଯାଇଛି । ନଭେମ୍ବର ୨୬, ୨୦୨୨ ରେ ଜଣେ ମଦ୍ୟପ ବ୍ୟକ୍ତି ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।  ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଆମେରିକାରୁ ବିମାନରେ ଦିଲ୍ଲୀ ଆସିବା ବେଳେ ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଶଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ବିମାନ ଭିତରେ ତାଙ୍କର ଏପରି କାଣ୍ଡ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.