ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ, ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦେଇଥିବା ବୟାନକୁ ନେଇ ପଠାଇଥିଲା ନୋଟିସ୍‌

ରାହୁଲ ଗାନ୍ଧୀଙ୍କ ଘରେ ପୋଲିସ। ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ।

ରାହୁଲ ଗାନ୍ଧୀଙ୍କ ଘରେ ପୋଲିସ। ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ‘ଭାରତ ଯୋଡ଼ୋ’ ଯାତ୍ରା ବେଳେ ରାହୁଲ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହାକୁ ନେଇ ଦିଲ୍ଲୀ ପୋଲିସ୍ ତାଙ୍କୁ ନୋଟିସ୍ ପଠାଇଥିଲା। ଆଜି ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସିପି ସାଗରପ୍ରୀତ ହୁଡ୍ଡା ରାହୁଲଙ୍କ ଘରେ ପହଞ୍ଚି ତାଙ୍କୁ ପୀଡ଼ିତାଙ୍କ ଉପରେ ଦେଇଥିବା ବୟାନ୍ ସମ୍ପର୍କରେ ପଚରାଉଚରା କରିଛନ୍ତି।

ଗତ ଜାନୁୟାରୀ ୩୦ ତାରିଖରେ ରାହୁଲ ଶ୍ରୀନଗରରେ କହିଥିଲେ କି, ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ମହିଳା ତାଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ ସେମାନେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଦିଲ୍ଲୀ ପୋଲିସ୍ କହିଛି କି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗମ୍ଭୀର ଅଭିଯୋଗ। ଯଦି ମହିଳାମାନେ ଏଭଳି ଅଭିଯୋଗ ଆଣିଛନ୍ତି, ତେବେ ଆମେ ତୁରନ୍ତ ତଦନ୍ତ କରିବୁ।

ତେଣୁ ରାହୁଲଙ୍କଠାରୁ ସେହି ମହିଳାଙ୍କ ବିଷୟରେ ଜାଣିବା ପାଇଁ ପୋଲିସ କେତେକ ପ୍ରଶ୍ନ ନୋଟିସ୍ କରି ପଠାଇଥିଲା। ଏହାରି ଉତ୍ତର ଜାଣିବା ପାଇଁ ଆଜି ସକାଳ ସାଢ଼େ ୧୦ଟାରେ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା।

କହି ରଖୁଛୁ, ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ଶ୍ରୀନଗରରେ ବୟାନ ଦେଇଥିଲେ ଯେ ‘ଜଣେ ଦୁଷ୍କର୍ମ ପୀଡ଼ିତା ମୋତେ ଭେଟିଥିଲେ। ଯେତେବେଳେ ମୁଁ ତାଙ୍କୁ ପୋଲିସରେ ଅଭିଯୋଗ କରିବାକୁ କହିଥିଲି, ତ ସେ ମନା କରିଦେଇଥିଲେ ଏବଂ କହିଥିଲେ କି, ତାଙ୍କୁ ଲୋକଲଜ୍ଜା ହେବାକୁ ପଡ଼ିବ’। ବର୍ତ୍ତମାନ ପୋଲିସ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବିଷୟରେ ସୂଚନା ଦେବାକୁ ରାହୁଲ ଗାନ୍ଧୀଙ୍କୁ କହିଛି, ଯେପରି ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଇ ପାରିବ।