ଅପହରଣ ମାମଲାରେ ଧନଞ୍ଜୟ ସିଂଙ୍କୁ ୭ ବର୍ଷ ଜେଲ୍‌, ଜୌନପୁରରୁ ଲୋକସଭା ନିର୍ବାଚନ ଲଢ଼ିବାକୁ କରିଥିଲେ ଘୋଷଣା

ଉତ୍ତର ପ୍ରଦେଶର ଜୌନପୁରରୁ ସାଂସଦ ରହିଥିବା ଜେଡିୟୁର ରାଷ୍ଟ୍ରୀୟ ମହାସଚିବ ଧନଞ୍ଜୟ ସିଂଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ମିଳିଛି । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଛି ।

ଉତ୍ତର ପ୍ରଦେଶର ଜୌନପୁରରୁ ସାଂସଦ ରହିଥିବା ଜେଡିୟୁର ରାଷ୍ଟ୍ରୀୟ ମହାସଚିବ ଧନଞ୍ଜୟ ସିଂଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ମିଳିଛି । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଛି । ଏକ ଅପହରଣ ଏବଂ ଟଙ୍କା ଦାବି ମାମଲାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୦ ମେ’ ୧୦ରେ ଜୌନପୁରର ଲାଇନ୍‌ ବଜାର ଥାନାରେ ମୁଜଫର୍‌ନଗର ନିବାସୀ ତଥା ନମାମି ଗଙ୍ଗେର ପ୍ରୋଜେକ୍ଟ ମ୍ୟାନେଜର ଅଭିନବ ସିଙ୍ଘଲ ଧନଞ୍ଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ । ଅପହରଣ ଏବଂ ଟଙ୍କା ଦାବି ଅଭିଯୋଗ ଆଣି ଧନଞ୍ଜୟ ଏବଂ ତାଙ୍କ ସାଥୀ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ନିକଟରେ ଦାଖଲ ଅଭିଯୋଗରେ କୁହାଯାଇଥିଲା କି, ବିକ୍ରମ ଅଭିନବ ସିଙ୍ଘଲଙ୍କ ଅପହରଣ କରି ପୂର୍ବତନ ସାଂସଦଙ୍କ ବାସଭବନକୁ ନେଇ ଯାଇଥିଲେ ।

ସେଠାରେ ଧନଞ୍ଜୟ ପିସ୍ତଲ ନେଇ ଆସିଥିଲେ ଏବଂ ତାଙ୍କୁ ଗାଳି କରି କମ୍‌ ଗୁଣାବତ୍ତାର ସାମଗ୍ରୀ ଯୋଗାଣ କରିବାକୁ ଚାପ ପକାଇଥିଲେ । ଅଭିନବ ମନା କରିବାରୁ ସେ ଧମକ ଦେଇ ତାଙ୍କୁ ଅର୍ଥ ଦାବି କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଧନଞ୍ଜୟ ସିଂ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା । ଯଦିଓ ପରେ ତାଙ୍କୁ କୋର୍ଟରୁ ଜାମିନ୍‌ ମିଳିଥିଲା ।

କହି ରଖୁଛୁ, ଧନଞ୍ଜୟ ସିଂ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସେ ସୋସିଆଲ ମିଡିଆରେ ନିଜେ ଏକ ପୋଷ୍ଟ କରି ଏହି ସୂଚନା ଦେଇଥିଲେ । ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି, ସେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଚିହ୍ନରେ ନିର୍ବାଚନ ଲଢ଼ିବେ ନା ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.