ଗୁଗଲ ମ୍ୟାପରେ ଯାଇ ନଦୀରେ ଖସିଲା କାର, ଦୁଇ ମୃତ ୩ ଆହତ

କେରଳର କୋଚି ନିକଟ ଗୋଥୁରୁଥରେ ଏକ କାର ନିକଟସ୍ଥ ପେରିୟାର ନଦୀରେ ଖସି ପଡ଼ିଥିଲା । ଶନିବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି । କାରରେ ଯାଉଥିବା ଡାକ୍ତର ଅଦୈତ ଏବଂ ଡାକ୍ତର ଅଜମଲ୍‌ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ଗୁଗଲ ମ୍ୟାପ ଭରଷାରେ କରୁଥିଲେ ଯାତ୍ରା । କିନ୍ତୁ କିଏ ଜାଣିଥିଲା ଏହି ଯାତ୍ରା ହେବ ସେମାନଙ୍କ ପାଇଁ ଶେଷ ଯାତ୍ରା । କାର ଧରି ଗନ୍ତବ୍ୟସ୍ଥଳକୁ ବାହାରିଥିଲେ ଦୁଇ ଜଣ ଡାକ୍ତରଙ୍କ ସହ ଆଉ ତିନି ଜଣ । କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ବି ରାସ୍ତା ଜଣା ନଥିଲା । କଣ କରିବେ ଭାବି ଭାବି ଶେଷରେ ଗୁଗଲ ମ୍ୟାପ କଥା ମନେ ପଡ଼ିଥିଲା । ଗୁଗଲ ମ୍ୟାପ ଯେଉଁ ଡାଇରେକ୍ସନ ଦେଖାଉଥିଲା ସେହି ଅନୁସାରେ ସେମାନେ ଆଗକୁ ଆଗକୁ ବଢ଼ୁଥିଲେ । ପ୍ରବଳ ବର୍ଷା ସାଙ୍ଗକୁ ରାତି ହୋଇଥିବାରୁ ରାସ୍ତା ଠିକ ଭାବେ ଦେଖା ଯାଉ ନଥିଲା । ଚାରିଆଡ଼େ ପାଣି ଜମି ଥିଲା । ନଦୀ ନାଳ ସବୁ ପାଣିରେ ଭର୍ତ୍ତି । ଠିକ ଏହି ସମୟରେ କାରଟି ଏକ ନଦୀରେ ଖସି ପଡ଼ିଥିଲା । ଆଉ କାରରେ ଥିବା ଦୁଇ ଜଣ ଡାକ୍ତର ହରାଇଥିଲେ ପ୍ରାଣ । ଏଭଳି ଏକ ଅଭାବନୀୟ ଘଟଣା କେରଳ କୋଚିରୁ ସାମ୍ନାକୁ ଆସିଛି ।

କେରଳର କୋଚି ନିକଟ ଗୋଥୁରୁଥରେ ଏକ କାର ନିକଟସ୍ଥ ପେରିୟାର ନଦୀରେ ଖସି ପଡ଼ିଥିଲା । ଶନିବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି । କାରରେ ଯାଉଥିବା ଡାକ୍ତର ଅଦୈତ ଏବଂ ଡାକ୍ତର ଅଜମଲ୍‌ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେମାନେ ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ । ପୋଲିସ କହିବା ଅନୁସାରେ ଡାକ୍ତରଙ୍କ ସହ ଯାତ୍ରା କରୁଥିବା ଅନ୍ୟ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ତେବେ ଗୁଗଲ ମ୍ୟାପର ଡାଇରେକ୍ସନ ଅନୁସାରେ କାରର ଡ୍ରାଇଭର ସେହି ଅଞ୍ଚଳରେ ପହଞ୍ଚିଥିବା ଜଣାପଡିଛି । ପୋଲିସ କହିବା ଅନୁସାରେ ପ୍ରବଳ ବର୍ଷା ହେବା କାରଣରୁ ସେହି ସମୟରେ କିଛି ଦେଖା ଯାଉ ନଥିଲା । ସେମାନେ ଗୁଗଲ୍ ମ୍ୟାପ୍ ରେ ଦେଖାଯାଉଥିବା ରାସ୍ତାରେ ଯାଉଥିଲେ, କିନ୍ତୁ ହଠାତ୍ ସେମାନେ ମ୍ୟାପରେ ଦେଖାଯାଇଥିବା ବାମ ପଟେ ଆଗକୁ ଯାଇ ନଦୀରେ ପଡ଼ିଯାଇଥିବା କୁହାଯାଉଛି ।

ତେବେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ । ପରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କ ଅବସ୍ଥା ଠିକ୍‌ ଥିବା କୁହାଯାଉଛି।
ପୋଲିସ କହିଛି ଯେ ମୃତଦେହ ଉଦ୍ଧାର କରିବା ପରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ସୂଚନା ଥାଉକି, ଦୁର୍ଘଟଣା ଖବର ପାଇବା ପରେ ମୃତ ଡାକ୍ତରଙ୍କ ଘରେ ଶୋକ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.