ନିଜ ବାହାଘର କାର୍ଯ୍ୟକ୍ରମ ବେଳେ ଛୁଆ ଜନ୍ମ ଦେଲା କନ୍ୟା, ପରିବାରରେ ଖେଳିଗଲା ଖୁସିର ଲହରୀ
ହିନ୍ଦୁ ଧର୍ମରେ ୧୬ ସଂସ୍କାର ମଧ୍ୟରୁ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର। ଏଥିରେ ଗୋଟିଏ ଜନ୍ମ ନୁହେଁ, ବରଂ ୭ ଜନ୍ମ ପାଇଁ ଏକାଠି ରହିବାକୁ ରାଣ ଖାଇବାକୁ ପଡ଼ିଥାଏ। ଏଣୁ ଭାରତରେ ବିବାହ ଖୁବ୍ ଧୁମ୍ ଧାମ୍ରେ ଆୟୋଜିତ ହୋଇଥାଏ। କିନ୍ତୁ ଛତିଶଗଡ଼ରେ ବିବାହ ବେଳେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ନିକଟରେ ଛତିଶଗଡ଼ର କୋଣ୍ଡା ଗାଓଁ ଜିଲ୍ଲାରେ ହଳଦୀ ରସମ୍ ବେଳେ କନ୍ୟା ଏକ ଛୁଆ ଜନ୍ମ ଦେଇଛି। ବିବାହ ଉତ୍ସବ ବେଳେ ଛୁଆ ଜନ୍ମ ଏହି ପରିବାରର ଖୁସିକୁ ଦୁଇଗୁଣିତ କରିଦେଇଥିବା ଦେଖିବାକୁ ମିଳିଛି।
ଏହି ନିଆରା ବିବାହ ମାମଲା କୋଣ୍ଡା ଗାଓଁ ଜିଲ୍ଲାର ବଡ଼େରାଜପୁର ବ୍ଲକ ଅନ୍ତର୍ଗତ ବାଂସକୋଟ୍ ଗାଁରେ ସାମ୍ନାକୁ ଆସିଛି। ଏହି ବିବାହ କାର୍ଯ୍ୟକ୍ରମ ବେଳେ କନ୍ୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି। ହଳଦୀ ସେରିମନି ଆରମ୍ଭ ହେବା ବେଳେ କନ୍ୟାର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ହଳଦୀ କାର୍ଯ୍ୟକ୍ରମ ରୋକି କନ୍ୟାକୁ ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ପ୍ରକାଶ ଯେ ଆଦିବାସୀ ସମାଜରେ ଏହା ଏକ ସାଧାରଣ କଥା। ଏହି ପ୍ରଥାର ନାଁ ପିଠୁ। ଏହି ପ୍ରଥାନୁସାରେ, ଝିଅଟି ବିବାହ ପୂର୍ବରୁ ନିଜ ପସନ୍ଦର ଏକ ଯୁବକ ଘରେ ରହିଥାଏ। ଏହି ସମୟରେ ସେମାନେ ସ୍ୱାମୀ ସ୍ତ୍ରୀ ଭଳି ଚଳିଥାନ୍ତି। ଏମିତି କି ଉଭୟେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥାନ୍ତି। ପରେ ପରିବାର ଲୋକଙ୍କ ସହମତିରେ ସେମାନଙ୍କର ବିବାହ ହୋଇଥାଏ।
ପ୍ରଥାନୁସାରେ, ୨୦୨୧ ମସିହାରେ ଆଦିବାସୀ ଯୁବତୀ ଶିବବତୀ ଓଡ଼ିଶାର ଚନ୍ଦନଙ୍କ ଘରକୁ ପିଠୁରେ ଯାଇଥିଲେ। ସେଠାରେ ୮ ମାସ ଧରି ଏକାଠି ରହିବା ପରେ ପରିବାର ଲୋକ ଉଭୟଙ୍କ ବିବାହ ସ୍ଥିର କରିଥିଲେ। ଏହି ବିବାହ ପାଇଁ ହଳଦୀ ରସମ୍ ଚାଲିଥିବା ବେଳେ ଶିବବତୀ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଫଳରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।