ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪
ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ।
ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ତାଇୱାନର ହୁଲିଏନ୍ କାଉଣ୍ଟି ନିକଟ ସମୁଦ୍ରରେ ୨୨.୪ କିଲୋମିଟର (୧୪ ମାଇଲ୍) ଗଭୀରରେ ଥିଲା।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ତୀବ୍ର ଭୂମିକମ୍ପ ଝଟ୍କା ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସମସ୍ତେ ନିଜ ନିଜ ବିଲ୍ଡିଂରୁ ବାହାରି ଆସିଛନ୍ତି। ଟେକ୍ଟୋନିକ୍ ପ୍ଲେଟ୍ ନିକଟରେ ଏହାର ଅବସ୍ଥାନ ହେତୁ ତାଇୱାନରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହୁଏ।
ସୂଚନାଯୋଗ୍ୟ, ପୂର୍ବରୁ ୨୦୨୨ ସେପ୍ଟେମ୍ବରରେ ତାଇୱାନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ସେହି ସମୟରେ ଏହାର ତୀବ୍ରତା ୬.୮ ମପାଯାଇଥିଲା। ଏହି ଭୂମିକମ୍ପରେ ପ୍ରାୟ ୧୫୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହିପରି ୨୦୧୬ରେ ଦକ୍ଷିଣ ତାଇୱାନରେ ହୋଇଥିବା ଭୂମିକମ୍ପରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୧୯୯୯ରେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଥିଲା।