ମୁମ୍ବାଇ: ଟିକାକରଣ ପରେ ବି କରୋନା ସଂକ୍ରମିତ ହେଲେ ଡାକ୍ତର, ନେଇଥିଲେ କୋଭିସିଲ୍ଡର ପ୍ରଥମ ଡୋଜ୍‌

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ଆସିସାରିଲାଣି। ଟିକାକରଣ ବି ଆରମ୍ଭ ହୋଇଗଲାଣି। ସାରା ଦେଶରେ ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଭ୍ୟାକ୍‌ସିନ୍‌ ଆସିବା ପରେ ଲୋକମାନେ ଏବେ ଟିକେ ଖାମଖିଆଲ ହୋଇପଡ଼ିଛନ୍ତି। ତେବେ ଟିକା ନେବା ପରେ ବି ଲୋକମାନେ ଏବେ କରୋନା କବ୍‌ଜାକୁ ଆସୁଥିବା ଦେଖାଯାଇଛି। ଏଭଳି ଏକ ମାମଲା ମହାରାଷ୍ଟ୍ରର ମୁମ୍ବାଇରେ ସାମ୍ନାକୁ ଆସିଛି।

ମୁମ୍ବାଇର ବିବାଇଏଲ୍‌ ନାୟର ହସ୍ପିଟାଲର ଜଣେ ଡାକ୍ତର ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେବାର ୧୦ ଦିନ ପରେ କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କରୋନା କବ୍‌ଜାକୁ ଆସିଥିବା ଉକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି।

ସୂଚନା ମୁତାବକ, ନାୟର ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା କୋଭିସିଲ୍ଡ ଦିଆଯାଇଥିଲା। କୋଭିସିଲ୍ଡର ପ୍ରଥମ ଡୋଜ୍‌ ଲଗାଇବାର ୧୦ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରୁ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏନେଇ ବିଶେଷଜ୍ଞ କହିଛନ୍ତି ଯେ କରୋନା ଟିକା ନେବା ପରେ ସାବଧାନତା ଅବଲମ୍ବନ କରିବା ଉଚିତ। ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଡୋଜ୍‌ ନେବା ପରେ ହିଁ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣରୁ ମୁକ୍ତି ମିଳିପାରିବ। ବିଶେଷଜ୍ଞଙ୍କ ରାୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଥମ ଡୋଜ୍‌ ନେବା ପରେ ବି ବ୍ୟକ୍ତି ସଂକ୍ରମିତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.