ହୃଦ୍‌ଘାତରେ ଚାଲିଗଲେ ପ୍ରସିଦ୍ଧ ସଙ୍ଗୀତକାର ପଣ୍ଡିତ ଶିବ କୁମାର ଶର୍ମା, ସନ୍ତୁରକୁ ଘରେ ଘରେ କରାଇଥିଲେ ପରିଚିତ

ଆଉ ନାହାନ୍ତି ପ୍ରସିଦ୍ଧ ସନ୍ତୁର ବାଦକ ତଥା ଭାରତୀୟ ସଙ୍ଗୀତକାର ପଣ୍ଡିତ ଶିବ କୁମାର ଶର୍ମା। ମଙ୍ଗଳବାର ତାଙ୍କର ମୁମ୍ବାଇରେ ଦେହାନ୍ତ ଘଟିଛି। ସେ ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶିବ କୁମାର ଶର୍ମାଙ୍କ ନିଧନରେ ପୂରା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ପଣ୍ଡିତଙ୍କ ମୃତ୍ୟୁରେ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ବଡ଼ କ୍ଷତି ହୋଇଛି। କହି ରଖୁଛୁ, ପଣ୍ଡିତ ଶିବ କୁମାର ଶର୍ମା ସନ୍ତୁରର ଲୋକପ୍ରିୟତାକୁ ଘରେ ଘରେ ପହଞ୍ଚାଇ ଥିଲେ ଏବଂ ସାରା ବିଶ୍ୱରେ ଏହି ବାଦ୍ୟଯନ୍ତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ।

ହୃଦ୍‌ଘାତରେ ଦେହାନ୍ତ

ପଣ୍ଡିତ ଶିବ କୁମାର ଶର୍ମା ଗତ ୬ ମାସ ଧରି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ଲଗାତାର ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରଙ୍କ ମୁତାବକ, ସେ ଲମ୍ବା ସମୟରୁ ଡାୟଲିସିସ୍‌ ଚିକିତ୍ସାରେ ରହିଥିଲେ। ମଙ୍ଗଳବାର ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇ ଯାଇଛି।

ପ୍ରଧାନମନ୍ତ୍ରୀ ମୋଦି କଲେ ଗଭୀର ଶୋକ ପ୍ରକାଶ

ପଣ୍ଡିତ ଶିବ କୁମାର ଶର୍ମାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦି ଲେଖିଛନ୍ତି, ‘ପଣ୍ଡିତ ଶିବ କୁମାର ଶର୍ମାଙ୍କ ନିଧନରେ ଆମ ସାଂସ୍କୃତିକ ଦୁନିଆକୁ ବଡ଼ କ୍ଷତି ହୋଇଛି। ସେ ସନ୍ତୁରକୁ ବିଶ୍ୱ ସ୍ତରରେ ଲୋକପ୍ରିୟ କରାଇ ଥିଲେ। ତାଙ୍କର ସଙ୍ଗୀତ ଆଗାମୀ ପିଢ଼ିକୁ ମନ୍ତ୍ରମୁଗ୍ଧ କରି ଚାଲିବ। ମୋତେ ତାଙ୍କ ସହିତ ନିଜର କଥାବାର୍ତ୍ତା ଭଲ ଭାବରେ ମନେ ଅଛି। ତାଙ୍କ ପରିବାର ଏବଂ ପ୍ରଶଂସକ ମାନଙ୍କ ପ୍ରତି ଗଭୀର ସମବେଦନା। ଶାନ୍ତି’।

ସିନେମା ଜଗତ ପ୍ରତି ଥିଲା ପଣ୍ଡିତ ଶିବ କୁମାର ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ପଣ୍ଡିତ ଶର୍ମାଙ୍କର ସିନେମା ଜଗତ ପ୍ରତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ଅନେକ ଗୀତରେ ମ୍ୟୁଜିକ୍‌ ଦେଇଥିଲେ। ଶିବ କୁମାର ଶର୍ମା ଓ ହରି ପ୍ରସାଦ ଚୌରାସିଆଙ୍କ ଯୋଡ଼ି ବଲିଉଡ୍‌ରେ ‘ଶିବ-ହରି’ ନାମରେ ବେଶ୍‌ ଖ୍ୟାତ ଥିଲା। ଶିବ କୁମାର ବଂଶୀର କିମ୍ବଦନ୍ତୀ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ସହ ମିଶି ସିଲ୍‌ସିଲା, ଲମ୍‌ହେ ଏବଂ ଚାନ୍ଦିନୀ ଭଳି କେତେକ ଫିଲ୍ମ ପାଇଁ ମ୍ୟୁଜିକ୍‌ କମ୍ପୋଜ୍‌ କରିଥିଲେ। ସେଥି ମଧ୍ୟରୁ ଚାନ୍ଦିନୀ ଫିଲ୍ମର ଗୀତ ‘ମେରେ ହାଥୋଁ ମେଁ ନୌ-ନୌ ଚୁଡ଼ିଅାଁ’ ବହୁତ ଲୋକପ୍ରିୟ ହୋଇ ଥିଲା। ଏହା ଏବେ ମଧ୍ୟ ଶ୍ରୋତାଙ୍କୁ ଆକର୍ଷିତ କରିଥାଏ। ଏହି ଗୀତରେ ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.