ଆଫ୍‌ଗାନିସ୍ତାନରେ ପ୍ରବଳ ବର୍ଷା ପରେ ମାଡ଼ିଆସିଲା ବନ୍ୟା, ୩୩ ମୃତ; ଭାସିଗଲେ ୨୦୦ ଗୋରୁ

ଆଫ୍‌ଗାନିସ୍ତାନରେ ବର୍ଷା ରୌଦ୍ର ରୂପ ଦେଖାଇଛି । ପ୍ରବଳ ବର୍ଷା ହେତୁ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି ।

ଆଫ୍‌ଗାନିସ୍ତାନରେ ବର୍ଷା ରୌଦ୍ର ରୂପ ଦେଖାଇଛି । ପ୍ରବଳ ବର୍ଷା ହେତୁ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି । ବର୍ଷା ପରେ ଆସିଥିବା ବନ୍ୟାରେ ଅତି କମ୍‌ରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି । ତାଲିବାନ ପ୍ରବକ୍ତା ଅବଦୁଲ୍ଲା ଜନାନ ସାକ କହିଛନ୍ତି ଯେ ରାଜଧାନୀ କାବୁଲ ଏବଂ ଅନେକ ପ୍ରଦେଶରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଅବଦୁଲ୍ଲା ଜନାନ କହିଛନ୍ତି, ବନ୍ୟା ଯୋଗୁ ୬୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ବନ୍ୟା ପାଣିରେ ଭାସିଯାଇ ପାଖାପାଖି ୨୦୦ ଗୋରୁଙ୍କ ମୃତ୍ୟୁ ହୋଇଛି । ଏହିପରି ବନ୍ୟା ପରିସ୍ଥିତି ଯୋଗୁ ୮୦୦ ହେକ୍ଟର କୃଷି ଜମି ନଷ୍ଟ ହୋଇଯାଇଥିବା ବେଳେ ୮୫ କିଲୋମିଟରରୁ ଅଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।

ସେ କହିଛନ୍ତି ଯେ ବନ୍ୟା ଯୋଗୁ ପଶ୍ଚିମ ଫରାହ, ହେରାତ, ଦକ୍ଷିଣ ଜାବୁଲ ଏବଂ କାନ୍ଦାର ପ୍ରଦେଶରେ ସର୍ବାଧିକ କ୍ଷତି ଘଟିଛି । ଆଫଗାନିସ୍ତାନରେ ବର୍ତ୍ତମାନ ବର୍ଷାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ । ପାଣିପାଗ ବିଭାଗ ଦେଶର ୩୪ରୁ ଅଧିକ ପ୍ରଦେଶରେ ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।

ଏହାପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଫେବୃୟାରୀରେ ପୂର୍ବ ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ପରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୨୫ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ କି, ମାର୍ଚ୍ଚରେ ହୋଇଥିବା ତିନି ସପ୍ତାହର ବର୍ଷାରେ ପ୍ରାୟ ୬୦ ଜଣ ପ୍ରାଣ ହରାଇଥିଲେ ।

ମିଳିତ ଜାତିସଂଘ ଗତ ବର୍ଷ ଚେତାବନୀ ଦେଇଥିଲା ଯେ ଆଫଗାନିସ୍ତାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ ବିଶ୍ୱ ତାପମାତ୍ରା ହେତୁ ପାଣିପାଗର ଅବସ୍ଥା ବିଗିଡି ଯାଉଛି । ସେପଟେ ଦେଶରେ ବନ୍ୟା ପରିସ୍ଥିତି ଯୋଗୁ ଲୋକମାନେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.