ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଲେବାନନ୍‌ରେ ଅଟାର ଘୋର ଅଭାବ; ବ୍ୟବସାୟ ବନ୍ଦ କଲେ ବେକରୀ କମ୍ପାନୀ

ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଧୀରେ ଧୀରେ ବିଶ୍ୱର ବିଭିନ୍ନ ଦେଶ ଉପରେ ପଡ଼ିବା ଆରମ୍ଭ କରିଛି। ଆମଦାନୀ ପାଇଁ ଏହି ଦୁଇଟି ଦେଶ ଉପରେ ନିର୍ଭରଶୀଳ ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଏହାରି ଭିତରେ ଲେବାନନ୍‌ରେ ସ୍ଥିତି ସାଂଘାତିକ ହୋଇଯାଇଛି। ଏଠି ଖାଇବାକୁ ଲୋକଙ୍କୁ ରୁଟି ଖଣ୍ଡିଏ ବି ମିଳିପାରୁ ନାହିଁ। ଅଟାର ଘୋର ଅଭାବ ହେତୁ ଦେଶର ବେକରୀ ଓନର୍ସ ସିଣ୍ଡିକେଟ୍‌ ବଡ଼ ନିଷ୍ପତ୍ତି ନେଇଛି। ଏହାର ମୁଖ୍ୟ କହିଛନ୍ତି, ଅଟା ନ ଥିବାରୁ ଦକ୍ଷିଣ ଲେବାନନ୍‌ ସମେତ ଅନେକ ଜାଗାରେ ବେକରୀ ବ୍ୟବସାୟ ବନ୍ଦ କରିବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ବୃହତ୍‌ ସଂଖ୍ୟାରେ ବେକରୀ କମ୍ପାନୀ କାମ କରିବା ବନ୍ଦ କରି ଦେଇଛନ୍ତି। ଆଗକୁ ମଧ୍ୟ ଏମିତି ପରିସ୍ଥିତି ଜାରି ରହିବ, କାହିଁକି ନା, ସେମାନଙ୍କ ପାଖରେ ଏବେ ଅଟା ନାହିଁ। ଯେଉଁ କାରଣରୁ ଲୋକଙ୍କ ରୁଟିର ଆବଶ୍ୟକତାକୁ ପୂରଣ କରିବାରେ ସେମାନେ ଅସମର୍ଥ ଅଛନ୍ତି।

ସୂଚନାଥାଉ କି, ଲେବାନନ୍‌ର ଅର୍ଥ ମନ୍ତ୍ରୀ ମାର୍ଚ୍ଚରେ ଘୋଷଣା କରିଥିଲେ ଯେ ରୁଷ-ୟୁକ୍ରେନ ଯୁଦ୍ଧ ଦେଶରେ ଗହମ ପହଞ୍ଚିବା ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି। ସେ କହିଥିଲେ ଯେ ପଣ୍ୟଦ୍ରବ୍ୟର ଅନ୍ୟ ସ୍ରୋତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କରୁ ଫଣ୍ଡ୍‌ ପାଇଁ ଅପେକ୍ଷା କରିବାକୁ ହେବ।

କହି ରଖୁଛୁ, ଆମେରିକୀୟ ଡଲାର ଅଭାବ ଭିତରେ ଲେବାନନ୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଯାହା ଦେଶର ମୌଳିକ ଖାଦ୍ୟ ଆମଦାନୀର କ୍ଷମତା ଉପରେ ବାଧା ସୃଷ୍ଟି କରୁଛି। ରୁଷ-ୟୁକ୍ରେନ ଯୁଦ୍ଧରୁ ସଙ୍କଟ ଆହୁରି ବଢ଼ି ଯାଇଛି। କାରଣ, ଲେବାନନ୍‌ କଳା ସାଗର ସୀମା ସନ୍ନିକଟ ଦୁଇଟି ଦେଶରୁ ଗହମର ବଡ଼ ଭାଗ ଆମଦାନୀ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.