କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ନେଲେ ସନ୍ନ୍ୟାସ; ବିଧାନସଭାରେ ରଖିଲେ ଅନ୍ତିମ ଭାଷଣ
କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୟେଦିୟୁରପ୍ପା କହିଛନ୍ତି ଯେ ସେ ବର୍ତ୍ତମାନ ବିଜେପି ପାଇଁ ଶେଷ ନିଃଶ୍ୱାସ ଥିବା ଯାଏ କାମ କରିବେ।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ନିଜର ଅନ୍ତିମ ଭାଷଣ ରଖିଛନ୍ତି। ୟେଦିୟୁରପ୍ପା କହିଛନ୍ତି, ‘ମୁଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ବିଜେପିକୁ ଜିତାଇବା ପାଇଁ ଶେଷ ନିଃଶ୍ୱାସ ଥିବା ଯାଏ କାମ କରିବି। ମୋର ଏକମାତ୍ର ଉଦ୍ଦେଶ୍ୟ ବିଜେପିକୁ ଶାସନକୁ ପୁଣି ଆଣିବା ଏବଂ ମୋର ଆଶା ଯେ ଏମିତି ହେବ’। କହି ରଖୁଛୁ, କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନର ଆଜି ଥିଲା ଶେଷ ଦିବସ।
ଏହା ପୂର୍ବରୁ ବୁଧବାର ୟେଦିୟୁରପ୍ପା କହିଥିଲେ ଯେ ‘ମୁଁ ପୂର୍ବରୁ ହିଁ ଘୋଷଣା କରି ସାରିଛି କି, ମୁଁ ଏଥର ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସକ୍ରିୟ ରୂପେ ଦଳର ସଫଳତା ପାଇଁ କାମ କରିବି’।
ନିଜର ଫେୟାରେଓ୍ଵଲ ସ୍ପିଚ୍ରେ ୟେଦିୟୁରପ୍ପା କହିଥିଲେ, ‘ଅନେକ ମଉକାରେ ବିରୋଧୀ ଟିପ୍ପଣୀ ଦେଇଛନ୍ତି ଯେ ବିଜେପି ମୋତେ ଦଳରୁ ଦୂରେଇ ରଖିଛି। କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି କି, ମୋତେ ୪ ଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଦିଆଯାଇଛି। ଏତେ ମଉକା ଅନ୍ୟ କୌଣସି ନେତାଙ୍କୁ ଦିଆଯାଇ ନାହିଁ। ମୁଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଚିର କୃତଜ୍ଞ ରହିବି’।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଏସ୍ ୟେଦିୟୁରପ୍ପାଙ୍କ ବିଦାୟୀ ଭାଷଣର ପ୍ରଶଂସା କରି କହିଥିଲେ, ‘ଏହା ଦଳର ନୈତିକତାକୁ ଦର୍ଶାଉଛି। ବିଜେପିର ଜଣେ କାର୍ଯ୍ୟକର୍ତ୍ତା ରୂପରେ ମୋତେ ଏହି ଭାଷଣ ବହୁତ ପ୍ରେରକ ଲାଗିଲା। ଏହା ନିଶ୍ଚିତ ରୂପେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ପ୍ରେରିତ କରିବ’।