ରୁଷ ଆକ୍ରମଣରେ ଥରି ଉଠିଥିଲେ ପୂର୍ବତନ ମିସ୍‌ ୟୁକ୍ରେନ! ୭ ବର୍ଷର ପୁଅକୁ ଧରି ଛାଡ଼ିଲେ ଦେଶ; ଆମେରିକାରେ ବଖାଣିଲେ ଯନ୍ତ୍ରଣା

ରୁଷ ଆକ୍ରମଣରୁ ବଞ୍ଚିବା ପାଇଁ ୟୁକ୍ରେନରୁ ଲୋକମାନେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି। ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ି ସାରିଲେଣି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହାରି ଭିତରେ ପୂର୍ବତନ ମିସ୍‌ ୟୁକ୍ରେନ ଭେରୋନିକା ଡିଡୁସେନ୍‌କୋ ମଧ୍ୟ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଭେରୋନିକା ବର୍ତ୍ତମାନ ଆମେରିକାରେ ଅଛନ୍ତି ଏବଂ ସେଠାରେ ଏକ ପ୍ରେସ୍‌ କନ୍‌ଫେରେନ୍ସ କରି ନିଜ ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି। ଏଥି ସହିତ ଅନ୍ୟ ଦେଶଠାରୁ ସହାୟତା ପାଇଁ ଅପିଲ୍‌ କରିଛନ୍ତି।

ମିସ୍‌ ୟୁକ୍ରେନ ୨୦୧୮ କହିଛନ୍ତି କି, ସେ ଏବଂ ତାଙ୍କ ୭ ବର୍ଷର ପୁଅ ଯୁଦ୍ଧ ସମୟରେ ଏୟାର୍‌ ରେଡ୍‌ ସାଇରନ୍‌ ଏବଂ ବୋମାମାଡ଼ ଶବ୍ଦ ଶୁଣି ଭୟଭୀତ ହୋଇ ଯାଇଥିଲେ। ଏହାପରେ ସେମାନେ ତୁରନ୍ତ ଘର ଖାଲି କରି ଦେଇଥିଲେ ଏବଂ ହଜାର ହଜାର ଲୋକଙ୍କ ସହ ମିଶି ସୀମା ଅଭିମୁଖେ ବାହାରିଥିଲେ। ଭେରୋନିକା କହିଛନ୍ତି, ଆମେ ପାଦରେ ଚାଲି ଚାଲି ୟୁକ୍ରେନ ସୀମା ପର୍ଯ୍ୟନ୍ତ ପହଞ୍ଚିଥିଲୁ। ଏମିତି କୌଣସି ଜାଗା ନ ଥିଲା, ଯେଉଁଠି ସାଇରନ୍‌, ରକେଟ୍‌ କି ବୋମାମାଡ଼ ଶବ୍ଦ ଶୁଣିବାକୁ ମିଳୁ ନ ଥିଲା। ତାହା ବହୁତ ଆତଙ୍କର ମାହୋଲ ଥିଲା।

କିଭ୍‌ରୁ ବାହାରିବା ପରେ ଭେରୋନିକା ନିଜ ପୁଅକୁ ଧରି ମୋଲ୍‌ଡୋଭା ପର୍ଯ୍ୟନ୍ତ ପହଞ୍ଚିଥିଲେ। ପୁଣି ସେଠାରୁ ସ୍ୱିଜରଲ୍ୟାଣ୍ଡର ଜେନେଭା ଯାଇଥିଲେ। ସେଠାରେ ପୁଅକୁ ଛାଡ଼ି ସେ Women’s Rights Attorney ଗ୍ଲୋରିଆ ଅଲ୍‌ରେଡ୍‌ଙ୍କ ସହ ମିଶି ପ୍ରେସ୍‌ କନ୍‌ଫେରେନ୍ସ ପାଇଁ ଆମେରିକା ବାହାରିଥିଲେ। ସେ କହିଥିଲେ ଯେ ପୁଅକୁ ଜେନେଭାରେ ଛାଡ଼ି ପ୍ରେସ୍‌ କନ୍‌ଫେରେନ୍ସରେ ସାମିଲ ହେବାର ନିଷ୍ପତ୍ତି ଅତ୍ୟନ୍ତ ପୀଡ଼ାଦାୟକ ଥିଲା। କାହିଁକି ନା, ସେ ବିଶ୍ୱ ମହିଳା ଦିବସରେ ଦୁନିଆ ସାମ୍ନାରେ ନିଜ ମାତୃଭୂମିର ସ୍ଥିତି ବଖାଣିବାକୁ ଗୁରୁତ୍ୱପୂର୍ଣ୍ଣ ଭାବିଥିଲେ।

ଏହାସହ ଭେରୋନିକା କହିଥିଲେ କି, ବର୍ତ୍ତମାନ ସମୟରେ ୟୁକ୍ରେନର ହଜାର ହଜାର ପିଲା ଓ ସେମାନଙ୍କ ମା’ ସବ୍‌େଓ୍ଵ ଷ୍ଟେଶନ ଏବଂ ବମ୍ବ୍‌ ଶେଲ୍‌ଟର୍ସରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସବୁଠାରୁ ଅଧିକ ଦୁଃଖଦାୟକ ହେଉଛି, ପିଲା ଜନ୍ମ କରୁଥିବା ମହିଳାଙ୍କ ଯନ୍ତ୍ରଣା। ଭେରୋନିକା ଆହୁରି କହିଥିଲେ ଯେ ଆମେରିକା ଆସିବାକୁ ସେ ତାଙ୍କ ପୁଅ ପାଇଁ ଭିସା ଆବେଦନ କରିଥିଲେ। କିନ୍ତୁ ତାହା ରିଜେକ୍ଟ ହୋଇ ଯାଇଥିଲା। ଏବେ ସେ ଓ୍ଵିକେଣ୍ଡରେ ଜେନେଭା ଯାଇ ପୁଅକୁ ଭେଟିବେ।