ଘାଟିରେ ସେନାର ଅପରେସନ୍ ଅଲ୍ଆଉଟ୍ : ଏନ୍କାଉଣ୍ଟରେ ୪ ଆତଙ୍କୀ ନିହତ, ଜଣେ ପୋଲିସ ସହିଦ

ଶ୍ରୀନଗର : ଘାଟିରେ ସେନାର ଅପରେସନ୍ ଅଲ୍ଆଉଟ୍ । ଜମ୍ମୁ କାଶ୍ମୀର ଅନ୍ତନାଗରେ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ । ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ଜଣେ ପୋଲିସ ସହିଦ ହୋଇଛନ୍ତି । ଗୁଳି ବିନିମୟ ବେଳେ ଆହତ ହୋଇଛନ୍ତି ଦୁଇ ଜଣ ସାଧାରଣ ଲୋକ । ଅନନ୍ତନାଗର ଶ୍ରୀଗୁଫଓ୍ଵାରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ମିଳିତ ଅପରେସନ୍ ଆରମ୍ଭ କରିଥିଲା ସେନାବାହିନୀ ଓ ଜମ୍ମୁ କାଶ୍ମୀର ପୋଲିସ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଇଦ୍ ପରେ ଘାଟିରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି । ଏନକାଉଣ୍ଟର ଜାରି ରହିଥିବାରୁ ଶ୍ରୀନଗର ଏବଂ ଅନନ୍ତନାଗରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଗତ ଗୁରୁବାର ଦିନ ସେନା ପୁଲଓ୍ଵାମାରେ ଏନ୍କାଉଣ୍ଟର କରି ୩ ଜଣ ଆତଙ୍କୀଙ୍କୁ ନିପାତ କରିଥିଲା ।
ଅନ୍ଯପଟେ ଜମ୍ମୁ କାଶ୍ମୀରରେ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୮ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ଗୁଇନ୍ଦା ସୂଚନା ଅନୁସାରେ, ଅମରନାଥ ଯାତ୍ରା ରୁଟ୍ରେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ପାଇଁ ଯୋଜନା ଚଲାଇଛନ୍ତି । ସେପଟେ ଆତଙ୍କବାଦୀଙ୍କ ଏଭଳି ଯୋଜନାକୁ ପଣ୍ଡ କରିବା ପାଇଁ ପଣ କରିଛି ସେନାବାହିନୀ ଓ ଜମ୍ମୁ କାଶ୍ମୀର ପୋଲିସ । ଶ୍ରୀନଗରରେ ମୁତୟନ ହୋଇଛନ୍ତି ଏନ୍ଏସ୍ଜି କମାଣ୍ଡୋ । ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ଓ ରାଡାର ସହ ଏମାନେ ଶ୍ରୀନଗରରେ ପହଞ୍ଚିଛନ୍ତି । ସେନା, ସିଆର୍ପିଏଫ୍ ଓ ପୋଲିସ ସହ ତାଳମେଳ ରଖି ଏନ୍ଏସ୍ଜି କମାଣ୍ଡୋମାନେ ସ୍ୱତନ୍ତ୍ର ଅପରେସନ୍ରେ ସାମିଲ ହେବେ । ସେମାନଙ୍କୁ ତାଲିମ ଦେବେ । କାଶ୍ମୀରରେ ଏନ୍ଏସ୍ଜି କମାଣ୍ଡୋ ଅପରେସନ୍କୁ ଗତମାସରେ ମଞ୍ଜୁରୀ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଘାଟିରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବାରେ ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହେବ ବୋଲି କୁହାଯାଉଛି ।