Below header

ଫ୍ରାନ୍ସରେ ହିଂସାକାଣ୍ଡ ସ୍ଥିତି ଅଣାୟତ୍ତ: ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଗିରଫ, ୪୫ ହଜାର ପୋଲିସ ମୁତୟନ

ଲଗାତାର ୪ ଦିନ ହେଲାଣି ଜଳୁଛି ଫ୍ରାନ୍ସ । ରାଜଧାନୀ ପ୍ୟାରିସ ସହିତ ଅନେକ ସହରରେ ନିଆଁ ଜଳୁଛି । ଏପର୍ଯ୍ୟନ୍ତ ସ୍ଥିତି ଅଣାୟତ୍ତ ହୋଇ ରହିଛି । ୯୦୦ରୁ ଅଧିକ ଗିରଫ ହୋଇଥିବା ବେଳେ ୪୫ ହଜାର ପୋଲିସ ମୁତୟନ ହୋଇଛନ୍ତି ।

ଗତ ମଙ୍ଗଳବାର ଠାରୁ ଫ୍ରାନ୍ସରେ ଦେଶବ୍ୟାପୀ ହିଂସାକାଣ୍ଡ ବଢିଚାଲିଛି । ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଲାଗିରହିଛି । ରାଜଧାନୀ ପ୍ୟାରିସ ସହ ଦେଶର ବିଭିନ୍ନ ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ହଜାର ହଜାର ଆନ୍ଦୋଳନକାରୀ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଅନେକ ବିଲିଡିଂରେ ନିଆଁ ଲଗାଯାଇଛି । କ୍ରମାଗତ ୪ ରାତି ହେଲା ଜଳୁଛି ଫ୍ରାନ୍ସ।

ବ୍ୟାପକ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଥମୁନି ହିଂସକାଣ୍ଡ। ପୋଲିସ ଗାଡ଼ି ଲୁଟ୍‌ , ଦୋକାନ ଭଙ୍ଗାରୁଜା କରିବା ସହ କାର ଜାଳିଦେଉଛନ୍ତି ପ୍ରଦର୍ଶନକାରୀ । ପୋଲିସ ଫୋର୍ସ ସାମ୍ନାରେ ଚାଲିଛି ଭଙ୍ଗାରୁଜା ପୋଡ଼ାଜଳା। ଏକ ବଡ଼ ଲାଇବ୍ରେରୀକୁ ମଧ୍ୟ ନିଆଁ ଲଗାଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ବାଣ ଫିଙ୍ଗୁଛନ୍ତି । ହିଂସାକାଣ୍ଡରେ ୨୫୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେଣି। ଏପର୍ଯ୍ୟନ୍ତ ପ୍ରାୟ ୯୦୦ ଜଣ ଗିରଫ ହେଲେଣି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ୪୫ ହଜାର ଅଧିକାରୀ ଫ୍ରାନ୍ସର ବିଭିନ୍ନ ସହରରେ ମୁତୟନ ହୋଇଛନ୍ତି।

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଇତିମଧ୍ୟରେ ଅଭିଭାବକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନଙ୍କ ପିଲାଙ୍କୁ ସେମାନେ ଦଙ୍ଗାରୁ ଦୂରେଇ ରଖନ୍ତୁ। ପ୍ୟାରିସରେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଦୋକାନ ବଜାର ଭଙ୍ଗାରୁଜା ହୋଇଛି ଏବଂ ଲୋକ ଗାଡ଼ି ଜାଳି ଦେଇଛନ୍ତି। ଦୋକାନ ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳିଦିଆଯାଇଛି। ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ସୁରକ୍ଷା କଡ଼ାକଡ଼ି ହେବ ଏବଂ ଆହୁରି ଅଧିକ ପୁଲିସ ଫୋର୍ସ ମୁତୟନ ହେବ ବୋଲି ମାକ୍ରନ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷର ଆଲଜେରୀୟ ବାଳକର ମୃତ୍ୟୁକୁ କେନ୍ଦ୍ର କରି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଶେଷ କରି କମ ବର୍ଷର ପିଲାମାନେ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି। ନାହେଲଙ୍କ ମୃତ୍ୟୁ ପରେ ପୋଲିସ ବ୍ୟବସ୍ଥା ଏବଂ ଜାତିଆଣ ପ୍ରସଙ୍ଗ ଅଭିଯୋଗ ତୀବ୍ର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.