ଓଡ଼ିଶାର ସ୍ନାକ୍‌ ଫ୍ୟାକ୍ଟ୍ରିରେ ୫୦ ଟଙ୍କାରେ କାମ କରୁଥିବା ସେଦିନର ଯୁବକ ଆଜି ଆର୍ମି ଅଫିସର

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ । ଦୃଢ଼ ମନୋବଳ ପାଖରେ ସବୁ ବାଧା ବିଘ୍ନ ହାର ମାନିଥାଏ । ଦିନେ ଓଡ଼ିଶାର ଏକ ସ୍ନାକ୍‌ ଫ୍ୟାକ୍ଟ୍ରିରେ ମାତ୍ର ୫୦ ଟଙ୍କାରେ କାମ କରୁଥିଲେ ଏହି ଯୁବକ । ଆଜି ନିଜକୁ ଆର୍ମି ଅଫିସର ଭାବେ ଗଢ଼ିତୋଳି ପାରିଛନ୍ତି । ତାଙ୍କର ଏହି ନିଷ୍ଠା ଓ ଅଧ୍ୟବସାୟ ପାଇଁ ତାଙ୍କୁ ସବୁ ବର୍ଗରୁ ଶୁଭେଚ୍ଛା ମିଳିଛି ।

ଯୁବକ ଜଣକ ହେଉଛନ୍ତି ବିହାର ଦାନପୁର ଅଞ୍ଚଳର ବଳବାଙ୍କ ତିଓ୍ଵାରୀ । ଘରେ କହିଲେ, ଦୁଇଟି ପରିବାର ଏକମାତ୍ର ପୁଅ ଓ ଜଣେ ଝିଅ । ବାପା କୃଷି କାମ କରନ୍ତି । ଅତି କଷ୍ଟରେ ଚଳେ ପରିବାର । ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ପାଠ ଛାଡ଼ି କାମ ଅନେ୍ଵଷଣ କରିବା ପାଇଁ । ତେଣୁ ସେ କାମ ଅନେ୍ଵଷଣରେ ଆସି ପ୍ରଥମେ ଓଡ଼ିଶାର ରାଉରକେଲାରେ ପହଞ୍ଚିଥିଲେ । ସେଠାରେ ପ୍ରଥମେ ସେ ଏକ ଆଇରନ୍‌ ଫିଟିଂ ଫ୍ୟାକ୍ଟ୍ରିରେ କାମ କରିଥିଲେ । ତା’ପରେ ଦିନକୁ ୫୦ ଟଙ୍କାରେ ଏକ ସ୍ନାକ୍‌ ଫ୍ୟାକ୍ଟ୍ରିରେ କାମ ଆରମ୍ଭ କଲେ ।

କାମ କରିବା ସହ ସେ ଦ୍ୱାଦଶ ପରୀକ୍ଷା ଦେଇ ପାସ୍‌ କଲେ । ସେହିଠାରେ ମଧ୍ୟ ଏକ ପ୍ରାଇଭେଟ୍‌ କଲେଜରେ ଗ୍ରାଜୁଏସନ୍‌ କଲେ । ପରେ ତାଙ୍କ ମାମୁଁଙ୍କ ଠାରୁ ଖବର ପାଇ ନିଜ ରାଜ୍ୟରେ ହେଉଥିବା ଆର୍ମି ର‍୍ୟାଲିରେ ଯୋଗ ଦେଇ ସିପାହି ଭାବେ ୨୦୧୨ ମସିହାରେ ନିଯୁକ୍ତି ପାଇଲେ ବୋଲି ସେ କୁହନ୍ତି । ତଥାପି ଉଚ୍ଚକୁ ଯିବାର ତାଙ୍କ ପ୍ରଚେଷ୍ଟା ଜାରି ରହିଥିଲା । ସେ ବିଭାଗୀୟ ପରୀକ୍ଷା ଦେଇ ୨୦୧୭ ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଭର୍ତ୍ତି ହେଲେ । ସେଠାରୁ ସଫଳତାର ସହ ପାସ୍‌ କରିବା ପରେ ଏବେ ଜଣେ ଆର୍ମି ଅଫିସର ଭାବେ ଇଣ୍ଡିଆନ୍‌ ଆର୍ମିରେ ଯୋଗ ଦେଇଛନ୍ତି ।

ଓଡ଼ିଶାର ସ୍ନାକ୍‌ ଫ୍ୟାକ୍ଟ୍ରିରୁ ଆର୍ମିରେ ଅଫିସର ଭାବେ ନୁଯୁକ୍ତି ର ଏହି ଲମ୍ବା ଯାତ୍ରା ତାଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ସେ କୁହନ୍ତି । ନିକଟରେ ସେ ନିଜର କୁନି ଝିଅକୁ ଦେଖିବା ପାଇଁ ଘରକୁ ଆସିଥିବା ପ୍ରକାଶ କରିଛନ୍ତି । ଶ୍ରୀ ତିଓ୍ଵାରୀଙ୍କର ଏହି ଜୀବନ ଯାତ୍ରା ବହୁ ଯୁବପିଢ଼ିଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.