Below header

ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ୱନେତା, ସାବରମତି ଆଶ୍ରମ ବିଷୟରେ ବୁଝାଇଲେ ମୋଦି

ନିରବ ପ୍ରାର୍ଥନା କରି ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ୱନେତା । ରାଜଘାଟରେ ସେମାନଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ମୋଦି ବିଶ୍ୱନେତାଙ୍କୁ ସାବରମତି ଆଶ୍ରମ ବିଷୟରେ ବୁଝାଇଥିଲେ ।

ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଏହି ଜି-୨୦ ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ୱର ବଡ ବଡ଼ ନେତା । ଆଜି ଜି-୨୦ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ G20 ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ, ରୁଷ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସମେତ ବିଭିନ୍ନ ରାଷ୍ଟ୍ର ନେତା ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ତେବେ ରାଜଘାଟରେ ସେମାନଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ୱେଲକମ୍ ସ୍ଥାନର ବ୍ୟାକଗ୍ରାଉଣ୍ଡରେ ଥିବା ସାବରମତୀ ବାବଦରେ ସମସ୍ତଙ୍କୁ ଅବଗତ କରାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ମହାତ୍ମା ଗାନ୍ଧିଙ୍କ ଜୀବନ କାହାଣୀ ଓ ସଂଗ୍ରାମ ବାବଦରେ ସମସ୍ତଙ୍କୁ ଜଣାଇଥିଲେ ।

ଏହା ପରେ ଭାରତ ମଣ୍ଡପମର ସାଉଥ ପ୍ଲାଜାରେ ଆଜି ବୃକ୍ଷରୋପଣ ସମାରୋହ ଆୟୋଜନ କରାଯିବ । ଏହାପରେ ଶିଖର ସମ୍ମିଳନୀ ତୃତୀୟ ଅଧିବେଶନ ୱାନ୍ ଫ୍ୟୁଚର ବା ଗୋଟିଏ ଭବିଷ୍ୟତ ଆରମ୍ଭ ହେବ । ଗତକାଲି ପ୍ରଥମ ଦିନରେ ଦୁଇଟି ଅଧିବେଶନ ୱାନ୍ ଆର୍ଥ ଓ ୱାନ୍ ଫ୍ୟାମିଲିରେ ମାନସମନ୍ଥନ କରିଥିଲେ ବିଶ୍ବ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.