ଥାନାରେ ବର୍ଷିଲା ଗୁଳି, ହାଜତ ଭିତରୁ ଅପରାଧୀକୁ ଉଠାଇ ନେଲେ ଦୁର୍ବୃତ୍ତ, ଜୀବନ ବଞ୍ଚାଇ ଦୌଡ଼ି ପଳାଇଲା ପୋଲିସ୍‌

ରାଜସ୍ଥାନ: ଥାନାରେ ପଶି ଆଖିବୁଜା ଗୁଳି ବର୍ଷା କଲେ, ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍‌ କବ୍‌ଜାରୁ ଖସାଇ ନେଲେ। ୨୦ ଜଣ ପୋଲିସ୍‌ଙ୍କ ଉପସ୍ଥିତିରେ ଏମିତି ଦମନଲୀଳା ଚଳାଇଥିଲେ ଦୁର୍ବୃତ୍ତ। କିନ୍ତୁ ଅପରାଧୀଙ୍କ ସାମ୍ନା କରିବା ବଦଳରେ ପୋଲିସ୍‌ ନିଜ ନିଜ ଜୀବନ ବଞ୍ଚାଇ ଛତ୍ରଭଙ୍ଗ ଦେଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଲବର ଜିଲ୍ଲାରେ।

ଜିଲ୍ଲାର ବହରୋଡ଼ ଥାନାରେ ଶୁକ୍ରବାର ପ୍ରାୟ ୧୫ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ପଶି ଆଖିବୁଜା ଗୁଳିଚାଳନା କରିଥିଲେ। ଗୁଳିମାଡ଼ ଦେଖି ଭୟରେ ପୋଲିସ୍‌ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସାଥୀ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ଗୁଜ୍ଜର ଓରଫ ପପଲାକୁ ନେଇ ଫେରାର ହୋଇଯାଇଥିଲେ। ଦୁବୃର୍ତ୍ତମାନେ ପ୍ରାୟ ୫୦ ରାଉଣ୍ଡ ଫାୟାରିଂ କରିଥିଲେ। ତେବେ ଶୁକ୍ରବାର ସକାଳେ ପୋଲିସ୍‌ ପପଲାକୁ ଗିରଫ କରିଥିବା ଜଣାଯାଇଛି।

ହରିୟାଣାର ମହେନ୍ଦ୍ରଗଡ଼ ନିବାସୀ ବିକ୍ରମ ଓରଫ ପପଲା(୨୮) ମୁଣ୍ଡ ଉପରେ ସରକାର ୨ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ୨୦୧୬ ମସିହାରେ ତା’ ଉପରେ ୫ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପରେ ତାକୁ ପୁଲିସ ଗିରଫ କରିଥିଲା। କିନ୍ତୁ ୨୦୧୭ ମସିହାରେ କୋର୍ଟରେ ପପଲାକୁ ଉପସ୍ଥିତ କରିବା ସମୟରେ ତା’ସାଥୀମାନେ ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କରି ପପଲାକୁ ନେଇଯାଇଥିଲେ। ସେବେଠାରୁ ସେ ଫେରାର ଥିଲା। ପପଲା ଉପରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ରହିଛି।

ଏହାସହ ପଢନ୍ତୁ: ଆତ୍ମହତ୍ୟା ଲାଇଭ, ପ୍ରଥମେ ପ୍ରେମିକାକୁ ଗୁଳି ଓ ପରେ ନିଜକୁ ଗୁଳି ମାରିଲେ ଯୁବକ

ବହରୋଡ଼ ଥାନାଧିକାରୀ ସୁଗମ ସିଂହଙ୍କ ସୂଚନାନୁଯାୟୀ, ଶୁକ୍ରବାର ସକାଳେ ପୋଲିସ୍‌ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ସ୍କର୍ପିଓକୁ ଅଟକାଇଥିଲା। ସେଥିରୁ ୩୧.୯୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଥିସହ ପପଲାକୁ ପୁଲିସ ଗିରଫ କରିଥିଲା। ମାତ୍ର ପୁଲିସ ଚେକିଂର ସୁଯୋଗ ନେଇ ଗାଡ଼ିରେ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଥିଲେ। ପଚରାଉଚରା ପାଇଁ ପୋଲିସ୍‌ ପପଲାକୁ ଥାନାକୁ ଆଣିଥିବା ବେଳେ ଅପରାହ୍ନରେ ଏଭଳି ଘଟଣା ଘଟିଛି। ଖବରପାଇ ଭିବାଡ଼ିର ଆରକ୍ଷୀ ଅଧିକାରୀ ଡା.ଅମନଦୀପ ସିଂହ ଥାନାରେ ପହଞ୍ଚି ସମସ୍ତ ରାସ୍ତା ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.