ମଥାରେ ଟିକିଲି ଲଗାଇ ସ୍କୁଲ ଯିବାରୁ ଶିକ୍ଷୟିତ୍ରୀ ମାରିଲେ ଚାପୁଡା, ଫାଶୀ ଲଗାଇଦେଲେ ଛାତ୍ରୀ

ଟିକିଲି ଲଗାଇଥିବାରୁ ସ୍କୁଲ ଛାତ୍ରୀଙ୍କୁ ଚାପୁଡା ମାରିଲେ ଶିକ୍ଷୟିତ୍ରୀ । ଖାଲି ସେତିକି ନୁହେଁ, ପ୍ରାର୍ଥନା ସଭାରେ ଗାଳିଗୁଲଜ କରିଥିଲେ ଶିକ୍ଷୟିତ୍ରୀ । ନିଜକୁ ଅସମ୍ମାନିତ ଅନୁଭବ କରି ସୁଇସାଇଡ କଲେ ଛାତ୍ରୀ । ଧନବାଦରେ ଘଟିଛି ଏମିତି ଘଟଣା ।

ମଥାରେ ଟିକିଲି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅସମ୍ମାନ କରିବାରୁ ଛାତ୍ରୀ କଲେ ଆତ୍ମହତ୍ୟା। ପ୍ରାର୍ଥନା ସଭାରେ ମାଡ ମରାଯିବା ସହିତ ଲଜ୍ଜିତ ଅନୁଭବ କଲେ । ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀ ଜଣକ ଶେଷରେ ଏଭଳି ନିଷ୍ପତ୍ତି ନେଲେ । ଏମିତି ଘଟଣା ଘଟିଛି ଝାରଖଣ୍ଡର ଧନବାଦରେ । ମୃତ ଛାତ୍ରୀ ଜଣକ ହେଲେ ୧୬ ବର୍ଷୀୟା ଉଷା କୁମାରୀ ।

ଖବର ମୁତାବକ, ସୋମବାର ଏକ ଘରୋଇ ସ୍କୁଲ ଛାତ୍ରୀ ଉଷା କୁମାରୀ ମଥାରେ ଟିକିଲି  ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ଯାଇଥିଲେ ଜଣେ ଶିକ୍ଷୟିତ୍ରୀ । ସେ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିଲେ। ଶିକ୍ଷୟିତ୍ରୀଙ୍କ ଏଭଳି ବ୍ୟବହାରରେ ବିଚଳିତ ହୋଇ ପଡ଼ିଥିବା ଉଷା ଘରକୁ ଫେରିବା ପରେ ନିଜ ରୁମ୍କୁ ଭିତରୁ ବନ୍ଦ କରି ଦେଇଥିଲେ। ଏହାପରେ ଫ୍ୟାନରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ଝିଅ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଉଷାଙ୍କ ୟୁନିଫର୍ମ ପକେଟରୁ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ସେହି ନୋଟରେ ସେ ନିଜ ମୃତ୍ୟୁ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଘଟଣା ପରେ ମୃତ ଛାତ୍ରୀଙ୍କ ମାତାପିତା ଏବଂ ସ୍ଥାନୀୟ ଲୋକ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ପ୍ରଦର୍ଶନ କରିଥିଲେ । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାରୁ ଉତ୍ତେଜନା କମ୍‌ ହୋଇଥିଲା ।
ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏହି ଘଟଣାକୁ ନେଇ ଟ୍ଵିଟ୍‌ କରିଛନ୍ତି। ଏଥିପାଇଁ ଏକ ଟିମ୍‌ ଧନବାଦ ଆସୁଛି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.