ପ୍ରାଇଭେଟ ପ୍ରାକ୍ଟିସ କରିବାକୁ ହେଲେ ସରକାରୀ ଡାକ୍ଟରଙ୍କ ପାଇଁ ଅଦ୍ଭୁତ ସର୍ତ୍ତ, ସରକାର ଜାରି କଲେ ଏହି ଆଦେଶ

ସରକାରୀ ଡାକ୍ତରମାନଙ୍କୁ ହସପିଟାଲ ବାହାରେ ରୋଗୀ ଦେଖିବାକୁ ବାରଣ ଥିଲା । ହେଲେ ଏବେ ସରକାର ସରକାରୀ ଡାକ୍ତରଙ୍କୁ ପ୍ରାଇଭେଟ ପ୍ରାକ୍ଟିସ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିପାଇଁ ରଖିଛନ୍ତି କିଛି ସର୍ତ୍ତ । ଆସନ୍ତୁ ଜାଣିବା କ’ଣ ସେହି ସର୍ତ୍ତ ।

ଝାଡଖଣ୍ଡ ସରକାର ସରକାରୀ ଡାକ୍ତରଙ୍କ ପ୍ରାଇଭେଟ ପ୍ରାକଟିସ ପାଇଁ ଏକ ନୂଆ ଫର୍ମୁଲା ଜାରି କରିଛନ୍ତି । ସରକାର କହିଛନ୍ତି, ସରକାରୀ ଡାକ୍ତର ନିଜର ଡ୍ୟୁଟି ସରିବା ପରେ ପ୍ରାଇଭେଟ ପ୍ରାକ୍ଟିସ କରିପାରିବେ । ହେଲେ ସରକାରୀ ଡାକ୍ତରଖାନାରେ ସେ ଯେତିକି ରୋଗୀ ଦେଖିଛନ୍ତି, ପ୍ରାଇଭେଟ ବା ଘରୋଇ ହସପିଟାଲରେ ସେତିକି ରୋଗୀ ଦେଖିବେ । ତେବେ ପ୍ରତି ମାସ ସରକାରଙ୍କୁ ଡାକ୍ତରମାନେ ଘରୋଇ ଭାବେ ଦେଖିଥିବା ରୋଗୀଙ୍କ ତାଲିକା ଦେବାକୁ ହେବ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କ ଦ୍ୱାରା ଏହି ଆଦେଶ ଜାରି କରାଯାଇଛି । ପ୍ରାଇଭେଟ ପ୍ରାକଟିସ ପାଇଁ ଆହୁରି କିଛି ସର୍ତ୍ତ ମଧ୍ୟ ଲଗାଯାଇଛି । କୌଣସି ବି ଡାକ୍ତର ନିଜର ନିଯୁକ୍ତି (ପୋଷ୍ଟିଂ) ହୋଇଥିବା ଜିଲ୍ଳାରେ ଅତି ବେଶୀରେ ୪ ଟି ପ୍ରାଇଭେଟ ହସପିଟାଲରେ ରୋଗୀ ଦେଖିପାରିବେ । ଏଥିସହିତ ଏହା ବି କୁହାଯାଇଛି, ଯେଉଁ ହସପିଟାଲରେ ଡାକ୍ତର ପ୍ରାଇଭେଟ ପ୍ରାକଟିସ ବା ଘରୋଇ ଭାବେ ରୋଗୀ ଦେଖିବେ, ତାହା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ଆବଶ୍ୟକ ।

ଡାକ୍ତରଙ୍କୁ ସରକାରଙ୍କୁ ଦେବାକୁ ହେବ ଏହି ତାଲିକା

ଡାକ୍ତରମାନେ ଯେଉଁ ପ୍ରାଇଭେଟ ହସପିଟାଲରେ ରୋଗୀ ଦେଖିବେ ତାହାର ତାଲିକା ସରକାରଙ୍କୁ ଦେବାକୁ ହେବ । ଅତି କମରେ ୩ ମାସ ପୂର୍ବରୁ ଡାକ୍ତର ସେହି ହସପିଟାଲ ଛାଡି ଅନ୍ୟ ଘରୋଇ ହସପିଟାଲକୁ ରୋଗୀ ଦେଖିବାକୁ ଯାଇ ପାରିବେ ନାହିଁ । ତେବେ ନିଜ କ୍ଲିନିକରେ ରୋଗୀ ଦେଖୁଥିବା ଡାକ୍ତରଙ୍କ ସମ୍ପର୍କରେ ସେମିତି କିଛି କୁହାଯାଇ ନାହିଁ ।

ପ୍ରକାଶଯୋଗ୍ୟ ଯେ ଝାଡଖଣ୍ଡ ସରକାର ଏଥି ପୂର୍ବରୁ ସରକାରୀ ଡାକ୍ତରଙ୍କ ଘରୋଇ ସେବା ଉପରେ ରୋକ ଲଗାଇ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଫଳରେ ବାଧ୍ୟ ହୋଇ ଆପୋଶ ଆଲୋଚନା ମାଧ୍ୟମରେ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Leave A Reply

Your email address will not be published.