ଭୋଟ ଦେଉଛି ଗୁଜରାଟ: ପ୍ରଥମ ପର୍ଯ୍ୟାୟରେ ୧୯ ଜିଲ୍ଲାର ୮୯ ସିଟ୍ ପାଇଁ ଚାଲିଛି ମତଦାନ

ଗୁଜରାଟ: ଭୋଟ ଦେଉଛି ଗୁଜରାଟ । ପ୍ରଥମ ପର୍ଯ୍ୟାୟରେ ୧୯ ଜିଲ୍ଲାର ୮୯ ସିଟ୍ ପାଇଁ ମତଦାନ ଚାଲିଛି । ସୌରାଷ୍ଟ୍ର-କଛ ଓ ଦକ୍ଷିଣ ଗୁଜରାଟରେ ଭୋଟଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୫ ହଜାର ୪୩୦ ପୋଲିଂ ଷ୍ଟେସନ୍ରେ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ଚଳିତ ନିର୍ବାଚନରେ ସମସ୍ତ ୮୯ ସିଟ୍ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ଆମ ଆଦ୍ମୀ ପାର୍ଟି ୮୮ ସିଟ୍ରେ ପ୍ରାର୍ଥୀ ଦେଇଛି । ଅନ୍ୟାନ୍ୟ ଦଳ ସହ ୩୩୯ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୭୮୮ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ୭୦ ।
ପ୍ରଥମ ପର୍ଯ୍ୟାୟରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଇସୁଦାନ ଗଢ଼ବୀ, କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡେଜା ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥର ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ଆଜି ଭୋଟିଂ ହେଉଥିବା ୮୯ ସିଟ୍ରୁ ୨୦୧୭ରେ ୪୮ ସିଟ୍ରେ ବିଜୟୀ ହୋଇଥିଲା ବିଜେପି । କଂଗ୍ରେସ ୪୦ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।