ୟୁପି: ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୪୫ ପିଲା ଗୁରୁତର ଅସୁସ୍ଥ, ଭୟରେ ଅଭିଭାବକ

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୪୫ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ଖବରରୁ ଜଣାପଡ଼ିଛି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ହଠାତ୍‌ ୪୫ ଜଣ ପିଲାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା।

ପିଲାମାନେ ଅସୁସ୍ଥ ହେବା ଖବର ପାଇ ବିଦ୍ୟାଳୟରେ ସେମାନଙ୍କ ଅଭିଭାବକମାନେ ପହଞ୍ଚିଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି, ଯେଉଁଠି କିଛି ଜଣଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି।

ଫିରୋଜାବାଦ ଜିଲ୍ଲାର ସିରସାଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଏଠାରେ ବିଦ୍ୟାଳୟ ମିଡ୍‌ ଡେ’ ମିଲ୍‌ ଖାଇବା ପରେ ପିଲାମାନେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ପାଖାପାଖି ୪୫ ଜଣ ପିଲାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପିଲାମାନଙ୍କର ଏଭଳି ଅବସ୍ଥା ଦେଖି ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ସେପଟେ ଚିକିତ୍ସା ପାଇଁ ଅତିରିକ୍ତ ଡାକ୍ତରୀ ଟିମ୍‌ଙ୍କୁ ସିରସାଗଞ୍ଜ ଡକାଯାଇଛି।

You might also like