ତୁର୍କୀରେ ମହାପ୍ରଳୟ! ୧୨ ଘଣ୍ଟାରେ ଦ୍ୱିତୀୟ ଥର ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୭.୫

ପୁଣି ଦୋହଲିଲା ତୁର୍କୀ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟ୍‌କା ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ସୋମବାର ସକାଳେ ରିକ୍ଟର ସ୍କେଲରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୩୦୦ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ଝଟ୍‌କାର ପାଖାପାଖି ୧୨ ଘଣ୍ଟା ପରେ ଅର୍ଥାତ୍‌ ଅପରାହ୍ନ ୪ଟା ସମୟରେ ଦ୍ୱିତୀୟ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୫।

ସୋମବାର ତୁର୍କୀରେ ଆସିଥିବା ଏହି ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୫୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ତୁର୍କୀରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପୀଡ଼ିତ ଲୋକମାନଙ୍କୁ ମସ୍‌ଜିଦରେ ଶରଣ ଦିଆଯାଉଛି। ସକାଳେ ଭୂମିକମ୍ପର ପ୍ରଥମ ଝଟ୍‌କା ପରେ ଏବେ ଅନୁଭୂତ ହୋଇଛି ଦ୍ୱିତୀୟ ଝଟ୍‌କା, ଯେଉଁଥିରେ ତୁର୍କୀ ଏକ ପ୍ରକାର ଧ୍ୱଂସ ସ୍ତପରେ ପରିଣତ ହୋଇଛି।

ତୁର୍କୀରେ ଭୂମିକମ୍ପର ସ୍ଥାନୀୟ ସମୟ ଅନୁସାରେ, ସକାଳ ୪ଟା ୧୭ରେ ପ୍ରଥମ ଭୂମିକମ୍ପ ଆସିଥିଲା। ଏହାର ଗଭୀରତା ଭୂମିଠାରୁ ୧୭.୯ କିଲୋମିଟର ଭିତରେ ଥିଲା। ଭୂମିକମ୍ପର କେନ୍ଦ୍ର ଥିଲା ଗାଜିୟାଣ୍ଟେପ୍‌, ଯାହାକି ସିରିୟା ସୀମାଠାରୁ ୯୦ କିଲୋମିଟର ଦୂରରେ ରହିଛି। ତେଣୁ ସିରିୟାର ଅନେକ ସହରରେ ମଧ୍ୟ ଭୂମିକମ୍ପର ତୀବ୍ର ଝଟ୍‌କା ଅନୁଭବ କରାଯାଇଛି। କୁହାଯାଉଛି କି, ସୀମାର ଉଭୟ ପଟେ ପ୍ରବଳ କ୍ଷୟକ୍ଷତି ହୋଇଛି।