ମରଣକୁ ମାତ୍‌! ଓ୍ଵାଶିଂ ମେସିନରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁମୁଖକୁ ଏମିତି ବଞ୍ଚିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସ୍ପେନ୍‌ରେ ଏକ ଓ୍ଵାଶିଂ ମେସିନରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ଜଣେ ବ୍ୟକ୍ତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଉଛନ୍ତି। ଭିଡିଓ ଅନୁସାରେ, ବ୍ୟକ୍ତି ଜଣକ ହାତରେ କିଛି ଜିନିଷ ଧରି ଡୋର୍‌ ଖୋଲି ବାହାରକୁ ଯାଉଛନ୍ତି। ଡୋର୍‌ ବନ୍ଦ ହେବା ପରେ ସେଠାରେ ଥିବା ଏକ ଓ୍ଵାଶିଂ ମେସିନରେ ଜୋର୍‌ଦାର ବିସ୍ଫୋରଣ ହେଉଛି।

ଗ୍ଲାସ କାନ୍ଥଠାରୁ ଡୋର୍‌ ପର୍ଯ୍ୟନ୍ତ ସବୁକିଛି ଭାଙ୍ଗି ଚୁର୍‌ମାର ହୋଇଯାଉଛି। ବିସ୍ଫୋରଣ ପରେ ଓ୍ଵାଶିଂ ମେସିନଟି ନିଆଁରେ ଜଳୁଛି। ଏହି ଭିଡିଓକୁ ଟ୍ୱିଟରରେ ଓନ୍‌ଲି ବାଙ୍ଗର୍ସ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଖବର ଲେଖାଯିବା ସୁଦ୍ଧା ୪୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ପ୍ରାୟ ୩ ଲକ୍ଷ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।

ରିପୋର୍ଟ ମୁତାବକ, ଏହି ଘଟଣା ସ୍ପେନ୍‌ର। ତଦନ୍ତରୁ ଜଣାପଡିଛି ଯେ ସିଗାରେଟ ଲାଇଟର ଯୋଗୁ ଏହି ବିସ୍ଫୋରଣ ଘଟିଛି। ଏହା ଏକ ଟ୍ରାଉଜରରେ ରହିଯାଇଥିଲା। ଲାଇଟରରେ ଥିବା ଜ୍ୱଳନଶୀଳ ଇନ୍ଧନ ଓଭରହିଟ୍‌ ହେବା କାରଣରୁ ଦୁର୍ଘଟଣା ଘଟିଥିଲା। ଘଟଣାଟି ମାର୍ଚ୍ଚ ୧୪ ତାରିଖ ରାତି ପ୍ରାୟ ୮ଟା ସମୟରେ ଘଟିଥିଲା। କିନ୍ତୁ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣା ବିଷୟରେ ସୂଚନା ମିଳିବା କ୍ଷଣି ଅଗ୍ନିଶମ କର୍ମଚାରୀ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲେ।