ହିମାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା: ଭୂସ୍ଖଳନ ଯୋଗୁଁ ଲେହ-ମନାଲୀ ରାସ୍ତା ବନ୍ଦ, ୧୦୦ରୁ ଉର୍ଦ୍ଧ୍ବ ମେଣ୍ଢା ଛେଳି ମୃତ

ହିମାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ଜଳସ୍ତର ବୃଦ୍ଧି ପାଇଛି । ଅନେକ ରାସ୍ତା ଜଳମଗ୍ନ ହେବା ସହିତ ଲେହ ମନାଲୀ ଜାତୀୟ ରାଜପଥ ବନ୍ଦ ରହିଛି । ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ମେଣ୍ଢା ଛେଳି ମରିଯାଇଛନ୍ତି ।

ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ହୋଇଛି । ମଣ୍ଡି ଜିଲ୍ଲାରେ ରାତିରେ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି । ପ୍ରବଳ ବର୍ଷ ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାର୍କିଂ ହୋଇଥିବା ଗାଡି ପୋତି ହୋଇଯାଇଛି । ପାଖାପାଖି ୧୦୦ରୁ ଅଧିକ ମେଣ୍ଢା ଛେଳିଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ମନାଲୀ ଲେହ ଜାତୀୟ ରାଜପଥ ବନ୍ଦ ହୋଇଛି । ଏଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅସ୍ତବ୍ୟସ୍ତ ଆସାମର ଜନଜୀବନ । ବନ୍ୟା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଭାବିତ ହୋଇଛନ୍ତି ପାଖାପାଖି ୧୯ ଜିଲ୍ଲାର ୫ ଲକ୍ଷ ଲୋକ । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ ବହୁ ଲୋକ ଏବେ ବି ବନ୍ୟା ଘେରରେ ଫସି ରହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରହ୍ମପୁତ୍ର ସମେତ ଆହୁରି ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଉଡ଼ାଲଗୁରୀ ଜିଲ୍ଲାର ତାମୁଲପୁରରେ ଏକ ବ୍ରିଜ୍‌ ଭାସି ଯାଇଛି । ସେହିପରି ରାଜ୍ୟର ବଜାଲି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳଘେରରେ ରହିଛି ।

ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ- IMDର ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିବ ଓ ବନ୍ୟା ପରିସ୍ଥିତିରୁ ଲୋକଙ୍କୁ ଶୀଘ୍ର ନିସ୍ତାର ମିଳିବାର କୌଣସି ସମ୍ଭାବନା ଜଣାପଡୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.