ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ, କୋଏମ୍ବାଟୁରରେ ଘର ଭୁଶୁଡ଼ି ୧୫ ମୃତ

କେନ୍ଯୁଜ୍: ତାମିଲନାଡୁରେ ପ୍ରବଳ ବର୍ଷାରେ ଜନଜୀବନ ବିପର୍ଯ୍ୟସ୍ତ। କୋୟମ୍ବଟୁର ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷାରେ ତିନିଟି ଘର ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମେଟ୍ଟୁପଲାୟାମ ଗାଁରେ ଆଜି ସକାଳେ ଅଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ରହିଛନ୍ତି। ଏବେ ବି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ଅନୁମାନ କରାଯାଉଛି। ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ସହ ସ୍ଥାନୀୟ ଲୋକେ ଲାଗି ରହିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗତକାଲି ରାତି ଠାରୁ ତାମିଲନାଡୁ ଓ ପୁଡୁଚେରୀରେ ମୂଷଳାଧାରରେ ବର୍ଷା ଲାଗି ରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଚେନ୍ନାଇ ସମେତ ଅନେକ ସହରରେ ରେଡ ଆଲର୍ଟ ଜାରି କରାଯାଇଛି। ଚେନ୍ନାଇ, ତୁତିକୋରିନ, ତିରୁଭାଲୁର, କାଞ୍ଚିପୁରମ ଆଦି ସ୍ଥାନରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ୩୦ଟି ମୋଟର ବ୍ୟବହାର କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ୧୭୬ଟି ରିଲିଫ ସେଣ୍ଟର ଖୋଲା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.