ସାଂଘାଇରେ ଭୟାବହ ସ୍ଥିତି! ମାଲିକଙ୍କୁ କରୋନା ହେଲେ ପୋଷା ଜୀବଙ୍କୁ କରାଯାଉଛି ହତ୍ୟା; ସାମ୍ନାକୁ ଆସିଲା ସମ୍ବେଦନଶୀଳ ଭିଡିଓ

ଚୀନ ଏହି ସମୟରେ କରୋନା ମହାମାରୀର ଅତି ଭୟାବହ ସ୍ଥିତି ଦେଇ ଗତି କରୁଛି। ଏଠାରେ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସୁଛି। ସାଂଘାଇରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ସେଠାରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିଛି ଆବର୍ଜନା ବ୍ୟାଗ ରାସ୍ତା ପାର୍ଶ୍ୱରେ ରଖାହୋଇଛି, ଯେଉଁଥିରେ ପୋଷା କୁକୁର, ବିଲେଇ ବନ୍ଧା ହୋଇ ରହିଛନ୍ତି। ଏହି ଜୀବମାନେ ବ୍ୟାଗ୍‌ ଭିତରେ ହଲଚଲ ହେଉଥିବା ବି ନଜର ଆସୁଛନ୍ତି। ଅର୍ଥାତ୍‌ ଏମାନେ ଜୀବିତ ଅଛନ୍ତି।

ଭିଡିଓକୁ ଟ୍ଵିଟରରେ ଅପ୍‌ଲୋଡ କରାଯାଇଥିବା ବେଳେ ଏଥିରେ ଲେଖାଯାଇଛି, ‘ସାଂଘାଇରେ ୨୬ ମିଲିୟନ ଲୋକ ଲକ୍‌ଡାଉନରେ ଅଛନ୍ତି’। ଆହୁରି ବି ଆଗକୁ ଲେଖାଯାଇଛି ଯେ ‘ଚୀନର ସାଂଘାଇରେ ଲୋକେ ନିଜ ବାଲ୍‌କୋନୀରୁ ଡେଇଁ ଆତ୍ମହତ୍ୟା କରୁଛନ୍ତି। ସେପଟେ ଯେଉଁ ଲୋକମାନେ କୋଭିଡ୍‌ ପଜିଟିଭ୍‌ ବାହାରୁଛନ୍ତି, ସେମାନଙ୍କ ପୋଷା ଜୀବଜନ୍ତୁଙ୍କୁ ଆଣି ମାରି ଦିଆଯାଉଛି। ଏହା ଭଲ କଥା ନୁହେଁ’।

କହି ରଖୁଛୁ, ଗତ ସପ୍ତାହରେ ବି ଏମିତି ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ହେଲ୍‌ଥ ଓ୍ଵାର୍କର ପୋଷା ଜୀବକୁ ପିଟୁଥିବାର ଦେଖାଯାଇଥିଲା। କାହିଁକି ନା, ଏହି ପୋଷା ଜୀବର ମାଲିକ କରୋନା ପଜିଟିଭ୍‌ ବାହାରିଥିଲେ। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଖବର ମୁତାବକ, କରୋନାରେ ଜାରି ରହିଥିବା ଲମ୍ବା ଲକ୍‌ଡାଉନ ଭିତରେ ଲୋକମାନେ ଭୋକରେ ଡହଳବିକଳ ହୋଇ ଗ୍ରୋସରୀ ଷ୍ଟୋର୍‌ରୁ ଜିନିଷପତ୍ର ଲୁଟି ନେଉଛନ୍ତି। ଏହି ଲୋକମାନଙ୍କୁ ଡ୍ରୋନ୍‌ ମାଧ୍ୟମରେ ତଦାରଖ କରାଯାଉଛି। ଚୀନରେ ଯେଉଁ ବି ଲୋକ କରୋନା ସଂକ୍ରମଣ ମିଳୁଛନ୍ତି, ସେମାନଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.