ଭୋଟ ଦେବ ହିମାଚଳ ପ୍ରଦେଶ : ୭୮୮୧ ମତଦାନ କେନ୍ଦ୍ରରେ ୫୬ ଲକ୍ଷ ମତଦାତା ଦେବେ ଭୋଟ୍

ନୂଆଦିଲ୍ଲୀ : ଆଜି ଭୋଟ ଦେବ ହିମାଚଳ । କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ । ସକାଳ ୮ଟାରୁ ସଂଧ୍ୟା ୫ଟା ଭିତରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ପାଖାପାଖି ୫୬ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬୮ଟି ଆସନରେ ୪୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେବେ । ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ସିଏମ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ । ରାଜ୍ୟ ବିଜେପି ମୁଖ୍ୟ ସତପାଲ ସିଂ ସାଟ୍ଟି । ଭୋଟ ଗ୍ରହଣ ପାଇଁ ୭ ହଜାର ୮୮୧ ପୋଲିଂ ବୁଥ୍‌ ପ୍ରସ୍ତୁତ ହୋଇ ରହିଛି ।

ସେଥିମଧ୍ୟରୁ ୭୮୯ ସମ୍ବେଦନଶୀଳ ଏବଂ ୩୯୭ଟି ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ନିର୍ବାଚନ ପାଇଁ ୧୪୨ଟି ପୋଲିଂ ବୁଥ ମଧ୍ୟ କରାଯାଇଥିଲା, ଯାହାର ପରିଚାଳନା ଦାୟିତ୍ୱ ତୁଲାଇବେ ଭିନ୍ନକ୍ଷମ କର୍ମଚାରୀ । ଏଥର ନିର୍ବାଚନ କମିସନ୍ ଭୋଟିଂକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଏବଂ ଭୋଟିଂ ହାର ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛି । ହିମାଚଳ ପ୍ରଦେଶରେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୧ଲକ୍ଷ ୨୧ହଜାର ୪୦୯ ଜଣ ମତଦାତା ରହିଛନ୍ତି । ନିର୍ବାଚନ ପୂର୍ବରୁ ସବୁ ଦଳ ମାଳମାଳ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ଥିଲା ପ୍ରଚାରର ଶେଷ ଦିନ । ଏଣୁ ବିଭିନ୍ନ ଦଳ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ,ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଚାରମଙ୍ଗ ସମ୍ଭାଳିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି କ୍ୟାମ୍ପେନ କରିଥିଲେ ।

ଗତ ଦୁଇ ବର୍ଷରେ କଂଗ୍ରେସ ୯ଟି ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି । ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ଲଢୁଥିବାରୁ ରୋକଚ ଲଢେଇ ଦେଖିବାକୁ ମିଳିଛି । ଡିସେମ୍ବର ୮ରେ ଭୋଟ ଗଣତି ହେବାସହ ଫଳ ଘୋଷଣା ହେବ । ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୪୪ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୨୧ଟି ଆସନରେ ଜିତିଥିଲା। ସିପିଆଇ ଗୋଟିଏ ଆସନ ଏବଂ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.