ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା! ଦେବଦେବୀଙ୍କ ମୂର୍ତ୍ତି ଭାଙ୍ଗିଲେ, ପୂଜାରୀଙ୍କୁ ବି ଛାଡ଼ିଲେନି

ପାକିସ୍ତାନରେ ପୁଣିଥରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପୋଲିସ ସୂଚନା ମୁତାବକ, ପାକିସ୍ତାନର କରାଚି ସହରରେ ଥିବା ଏକ ହିନ୍ଦୁ ମନ୍ଦିରରେ ଠକୁରଙ୍କ ମୂର୍ତ୍ତି ଭଙ୍ଗା ଯାଇଛି। ଏପରି କି, ମନ୍ଦିର ପୂଜାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏଥି ସହିତ ତାଙ୍କ ଘରେ ବି ଭଙ୍ଗାରୁଜା ହୋଇଛି। ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା କୁହାଯାଉଛି।

ପୋଲିସ ଅନୁସାରେ, କରାଚିର କୋରଙ୍ଗି ଅଞ୍ଚଳରେ ଥିବା ଶ୍ରୀ ମାରୀ ମାତା ମନ୍ଦିରରେ ବୁଧବାର ଦେବଦେବୀଙ୍କ ମୂର୍ତ୍ତି ଭଙ୍ଗାଭଙ୍ଗି କରାଯାଇଥିଲା। ମନ୍ଦିରଟି କୋରଙ୍ଗି ଥାନା ଅଧୀନରେ ରହିଛି। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସର ଏକ ଟିମ୍‌ ପହଞ୍ଚିଥିଲା ଏବଂ ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା କରିଥିଲା।

ଖବର ମୁତାବକ, ଏହି ଘଟଣା ପରେ କରାଚିରେ ହିନ୍ଦୁ ଧର୍ମର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ଜଣେ ହିନ୍ଦୁ ବ୍ୟକ୍ତି କହିଛନ୍ତି, ୬ରୁ ୮ ଜଣ ଲୋକ ବାଇକ୍‌ରେ ସେଠାକୁ ଆସିଥିଲେ ଏବଂ ଏହାପରେ ସେମାନେ ମନ୍ଦିର ଭିତରେ ପଶି ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ତେବେ ଏହି ଲୋକମାନେ କିଏ ଏବଂ କ’ଣ ପାଇଁ ଆକ୍ରମଣ କଲେ, ସେ ବିଷୟରେ କେହି ଜାଣି ନ ଥିବା ଅଞ୍ଚଳବାସୀ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। କହି ରଖୁଛୁ, ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଲୋକଙ୍କ ମନ୍ଦିରଗୁଡ଼ିକୁ ପ୍ରାୟତଃ ବିଶୃଙ୍ଖଳିତ ବ୍ୟକ୍ତିଙ୍କ ଦ୍ୱାରା ଟାର୍ଗେଟ କରାଯାଇଥାଏ।