ଏବର୍ଷ ଯେମିତି କେହି ବି ବ୍ୟବହାର ନ କରନ୍ତି ପ୍ଲାଷ୍ଟିକ୍‌ ତ୍ରିରଙ୍ଗା, ସବୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ଆସୁଛି ସ୍ୱାଧୀନତା ଦିବସ। ଆଉ ଦିନ କେଇଟା ପରେ ସାରା ଦେଶରେ ଏହି ଦିବସ ପାଳିତ ହେବ। ତେବେ ଚଳିତ ଅଗଷ୍ଟ ୧୫ରେ ପ୍ଲାଷ୍ଟିକ୍‌ ତ୍ରିରଙ୍ଗାର ବ୍ୟବହାରକୁ ବ୍ୟାନ୍‌ କରାଯାଇଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସୁନିଶ୍ଚିତ କରିବେ ଯେ ଏବର୍ଷ ଯେମିତି କେହି ପ୍ଲାଷ୍ଟିକ୍‌ ତ୍ରିରଙ୍ଗା ପତାକା ବ୍ୟବହାର ନ କରନ୍ତି। କାରଣ ପ୍ଲାଷ୍ଟିକ୍‌ ପତାକାକୁ ପୁନଃବ୍ୟବହାର କରିବା ସମ୍ଭବପର ନୁହେଁ କିମ୍ବା ଏହାକୁ ନଷ୍ଟ କରିବାକୁ ମଧ୍ୟ ଆଉ କୌଣସି ଉପାୟ ନାହିଁ। ଏଣୁ ଏହାକୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଥିବା ଚିଠିରେ ଲେଖିଛନ୍ତି, ଜାତୀୟ ପତାକା ଦେଶର ଲୋକଙ୍କ ଆଶା, ଆକାଂକ୍ଷାର ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ ଆମେ ଏହାକୁ ସମ୍ମାନ ଜଣାଇବା ଉଚିତ୍‌। ଜାତୀୟ ପତାକା ପ୍ରତି ସମସ୍ତଙ୍କ ମନରେ ସ୍ନେହ, ସମ୍ମାନ ଓ ନିଷ୍ଠାଭାବ ରହିଛି। ତଥାପି ଜାତୀୟ ପତାକା ପ୍ରଦର୍ଶନକୁ ନେଇ ଲୋକମାନେ ସଚେତନ ନାହାନ୍ତି। ଏଥିପାଇଁ ସଚେତନତା ଆବଶ୍ୟକ।

ଗୃହ ମନ୍ତ୍ରାଳୟ କହିଛନ୍ତି, ବାରମ୍ବାର ଦେଖାଯାଉଛି ଯେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଭଳି ବଡ଼ ବଡ଼ ଜାତୀୟ କାର୍ଯ୍ୟକ୍ରମରେ କାଗଜର ପତାକା ବ୍ୟବହାର କରାଯାଉଛି। ଏହାକୁ ରି-ସାଇକେଲ କରିବା ସହଜ ହୋଇଥିବାରୁ ବ୍ୟବହାର କଲେ କିଛି ସମସ୍ୟା ନାହିଁ। କିନ୍ତୁ ପ୍ଲାଷ୍ଟିକ୍‌ ପତାକାକୁ ପୁନଃବ୍ୟବହାର କରି ହେଉନାହିଁ, ଏଣୁ ଲୋକେ ରାସ୍ତା ଘାଟରେ ଏଣେ ତେଣେ ପକାଇ ଦେଉଛନ୍ତି। ଯାହାକୁ ଲୋକ ପାଦରେ ମାଡ଼ିଥାନ୍ତି। ଏହା ଜାତୀୟ ପତାକା ପ୍ରତି ଅସମ୍ମାନ। ଏଣୁ ଏହାର ବିକ୍ରି ଓ ବ୍ୟବହାରକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.