ଅଫିସରେ ସିନିୟରଙ୍କୁ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ମାନସିକ କ୍ରୁରତା: ପଞ୍ଜାବ ହାଇକୋର୍ଟ

ସ୍ୱାମୀଙ୍କ ଅଫିସ୍‌କୁ ଯାଇ ତାଙ୍କ ସିନିୟରଙ୍କ ସାମ୍ନାରେ ଯଦି କୌଣସି ସ୍ତ୍ରୀ ଅଭିଯୋଗ କରେ ଓ ସ୍ୱାମୀଙ୍କ କ୍ୟାରିୟର ଏବଂ ପ୍ରତିଷ୍ଠାକୁ ନଷ୍ଟ କରେ, ତେବେ ସେଭଳି କ୍ଷେତ୍ରରେ ସ୍ୱାମୀ ଉକ୍ତ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବେ। ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ।

ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁ ବାହରୀ ଓ ଅଶୋକ କୁମାର ବର୍ମାଙ୍କ ଖଣ୍ଡପୀଠ ୨୦୦୨ରୁ ଅଲଗା ରହୁଥିବା ଏକ ସ୍ୱାମୀ-ସ୍ତ୍ରୀଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଭାରତୀୟ ବାୟୁ ସେନା(ଆଇଏଏଫ୍‌)ର ଜଣେ ଯବାନଙ୍କ ପକ୍ଷରୁ ଏହି ପିଟିସନ୍‌ ଦାଖଲ କରାଯାଇଥିଲା। ହାଇକୋର୍ଟ କହିଛନ୍ତି, ସ୍ତ୍ରୀଙ୍କ ପକ୍ଷରୁ ସ୍ୱାମୀ ଓ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ଆଧାରହୀନ, ଅଶୋଭନୀୟ ଓ ମାନହାନିକାରକ ଅଭିଯୋଗ କରିବା ଆଚରଣ ଦର୍ଶାଉଛି ଯେ ସେ ଶାଶୁ ଘର ଲୋକଙ୍କୁ ଜେଲରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି। ସ୍ୱାମୀଙ୍କୁ ଚାକିରିରୁ ବାହାର କରି ଦେଲେ। ସ୍ତ୍ରୀର ଏହି କାରନାମା ଯୋଗୁ ସ୍ୱାମୀ ମାନସିକ ନିର୍ଯାତନା ଭୋଗୁଛନ୍ତି ବୋଲି କୌଣସି ସନ୍ଦେହ ନାହିଁ।

ପ୍ରକାଶ ଯେ ଏହି ଦମ୍ପତି ୧୯୯୮ ମସିହାରେ ଲଭ୍‌ କମ୍‌ ଆରେଞ୍ଜ ମ୍ୟାରେଜ୍‌ କରିଥିଲେ। ଏମାନଙ୍କର ଏକ ପୁଅ ବି ଅଛି। କିନ୍ତୁ ବିବାହ ପରଠାରୁ ହିଁ ସ୍ତ୍ରୀ ନିଜ ଶାଶୁ ଘର ଲୋକଙ୍କ ସହ ଝଗଡ଼ା ଓ ପାଟି ତୁଣ୍ଡ କରୁଥିଲେ। କିନ୍ତୁ ୨୦୦୨ ପରଠୁ ଏହି ଝଗଡ଼ା ଅଧିକ ବଢ଼ିଯାଇଥିଲା। ୨୦୦୬ରେ ସ୍ତ୍ରୀ ନିଜ ପକ୍ଷରୁ ଛାଡ଼ପତ୍ର ଆବେଦନ କରିଥିଲେ। କିନ୍ତୁ ପରେ ଏହାକୁ ସେ ଫେରାଇ ନେଇଥିଲେ।

ମାତ୍ର ଏହି ସମୟ ଭିତରେ ସେ ବାରମ୍ବାର ସ୍ୱାମୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏମିତି କି ସେ ସ୍ୱାମୀଙ୍କ ଅଫିସକୁ ଯାଇ ମଧ୍ୟ ପାଟି ତୁଣ୍ଡ କରିଥିଲେ। ତେବେ ମହିଳାଙ୍କ ଏସବୁ ବ୍ୟବହାରକୁ ଦେଖି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି।

Also Read: କୋରିଆନ୍‌ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅନୁଷ୍କା ସେନ୍‌, ଖୁବ୍‌ଶୀଘ୍ର ଫିଲ୍ମ ଓ ଶୋ’ରେ ଆସିବେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.