ଭାରତରେ ବଢ଼ୁଛି କ୍ଷୁଧାର୍ତ୍ତଙ୍କ ସଂଖ୍ୟା, ଶ୍ରୀଲଙ୍କା-ପାକିସ୍ତାନର ସ୍ଥିତି ଆମଠୁ ଭଲ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ଭାରତ ପାଇଁ ଏକ ଦୁଃଖଦ ଖବର। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୨ ତଥ୍ୟରେ ୧୨୧ଟି ଦେଶ ମଧ୍ୟରୁ ଭାରତ ୧୦୭ ତମ ସ୍ଥାନକୁ ଖସି ଆସିଛି। ବିଶ୍ୱ ତାଲିକାରେ ଥିବା ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ କେବଳ ଆଫଗାନିସ୍ତାନ ଅପେକ୍ଷା ଭଲ ସ୍ଥିତିରେ ଅଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆର୍ଥିକ ସଙ୍କଟ ଏବଂ ଅନାହାରରେ ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ଭାରତ ଅପେକ୍ଷା ବହୁତ ଭଲ ଅବସ୍ଥାରେ ଅଛନ୍ତି। କେବଳ ତାଲିବାନଶାସିତ ଆଫଗାନିସ୍ତାନ ଭାରତ ତଳକୁ ଅଛି। ଏହା ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଭାରତ ବହୁ ପଛରେ ଥିଲା। ସେତେବେଳେ ସରକାର ଏହାକୁ ଭୁଲ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ।

୨୦୨୧ ମସିହାରେ ଭାରତ ୧୦୧ ସ୍ଥାନରେ ଥିଲା। ପଡ଼ୋଶୀ ଦେଶ ଶ୍ରୀଲଙ୍କା(୬୪), ପାକିସ୍ତାନ(୯୯), ବାଂଲାଦେଶ(୮୪), ନେପାଳ (୮୧) ଓ ମିଆଁମାର (୭୧) ସ୍ଥାନରେ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହିସବୁ ଦେଶ ଭାରତ ଠାରୁ ବହୁ ଊର୍ଦ୍ଧ୍ୱରେ ଅଛନ୍ତି।

ତେବେ ଗ୍ଲୋବାଲ ଇଣ୍ଡେକ୍ସ ତାଲିକାରେ ଭାରତର ସ୍ଥାନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ବିସ୍ମୟର କଥା ହେଉଛି ପ୍ରଳୟଙ୍କରୀ ବନ୍ୟା ପରେ ଭୟଙ୍କର ମୁଦ୍ରାସ୍ଫୀତି ଏବଂ ଅନାହାରର ସମ୍ମୁଖୀନ ହେଉଥିବା ପାକିସ୍ତାନ ଭାରତ ଅପେକ୍ଷା ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ-ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଲକ୍ଷ ଲକ୍ଷ ଲୋକ ବାସସ୍ଥାନ ହରାଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ବିଶ୍ୱରୁ ରାସନ ପାଇଁ ପାକିସ୍ତାନ ସାହାଯ୍ୟ ମାଗିଥିଲା।

ଅନ୍ୟପଟେ ଏହି ରିପୋର୍ଟକୁ ନେଇ ବିରୋଧୀ ଦଳର ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ମୋଦି ସରକାରଙ୍କ ୮ ବର୍ଷ ମଧ୍ୟରେ ଭାରତର ମାନ୍ୟତା ଅତ୍ୟନ୍ତ ନୈରାଶ୍ୟଜନକ। ଚିଦାମ୍ବରମ୍‌ ଟ୍ଵିଟରରେ କହିଛନ୍ତି, ହିନ୍ଦୁତ୍ୱ ନାଁରେ ସାମ୍ପ୍ରଦାୟିକତା ସୃଷ୍ଟି କଲେ ଦେଶରୁ କ୍ଷୁଧା ଦୂର କରିହେବ ନାହିଁ।

Also Read: ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ପୁଣି ଅଣ୍ଟା ଭିଡ଼ିଲେଣି ସରକାର, ୩ ବର୍ଷ ତଳେ ସିଏଏକୁ ନେଇ ଜଳିଥିଲା ସାରା ଦେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.