ଅରୁଣାଚଳ ପ୍ରଦେଶ : ଜଳିଗଲା ଭାରତୀୟ ସେନା ହେଲିକପ୍ଟର

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ । ଜଳିଗଲା ଭାରତୀୟ ବାୟୁସେନାର ହେଲିକପ୍ଟର । ଦୁର୍ଘଟଣାର କାରଣ ଅସ୍ପଷ୍ଟ ।

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ । ଜଳିଗଲା ଭାରତୀୟ ବାୟୁସେନାର ହେଲିକପ୍ଟର  । ଅରୁଣାଚଳ ପ୍ରଦେଶର ଦିରାଙ୍ଗରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଥିଲେ। ସେମାନେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି।

ଆଜି ସକାଳ ପ୍ରାୟ ୯ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମଡିଲାରୁ ଉଡ଼ାଣ ଭରିଥିଲା। ୯ଟା ୧୫ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହା ପ୍ରଥମ ଥର ପାଇଁ ନୁହେଁ, ଅରୁଣାଚଳ ପ୍ରଦେଶର ଚିତା ହେଲିକପ୍ଟର ୨୦୨୨ ଅକ୍ଟୋବରରେ ତଓ୍ଵାଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୨ ଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁହୋଇଥିଲା ।

ସୂଚନାଯୋଗ୍ୟ, ଚିତା ହେଲିକପ୍ଟର ୬୦ ବର୍ଷ ପୁରୁଣା । ବାରମ୍ବାର ଦୁର୍ଘଟଣାର ଶିକାର ହେବାକୁ ଯାଉଥିବା ଏହି ହେଲିକପ୍ଟର ବିଷୟରେ ଅତୀତରେ ପ୍ରଶ୍ନ ଉଠିଛି। ୨୦୦୭ ରେ ୟୁପିଏ ସରକାର ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ସେତେବେଳେ ଚିତା ହେଲିକପ୍ଟର ବିଷୟରେ କହିଥିଲେ ଯେ ‘ଏହି ପୁରୁଣା ଯନ୍ତ୍ରଗୁଡ଼ିକ ଆଉ ସେନାର ଆବଶ୍ୟକତା ପୂରଣ କରୁନାହାଁନ୍ତି ବର୍ତ୍ତମାନ ସେମାନଙ୍କୁ ବଦଳାଇବା ଉଚିତ୍’। ଏହା ମୂଳତଃ ଫ୍ରାନ୍ସର କମ୍ପାନୀ ଏରୋସ୍ପାଟିଆଲ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ସିଙ୍ଗଲ୍ ଇଞ୍ଜିନ୍ ହେଲିକପ୍ଟର ଏକ ସମୟରେ ୫ ଜଣଙ୍କ ସହିତ ଉଡିପାରିବ । ଏହି ହାଲୁକା ଓଜନ ହେଲିକପ୍ଟରର ବିଶେଷତ୍ୱ ହେଉଛି ଏହା ସିଆଚେନ୍ ପରି ଦୁର୍ଗମ ଅଞ୍ଚଳରେ ଉଡ଼ି ସହଜରେ ସାମଗ୍ରୀ ବିତରଣ କରିପାରିବ । କାର୍ଗିଲ ଯୁଦ୍ଧ ସମୟରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।